ଭବାନୀପାଟଣା : କଳାହାଣ୍ଡି-ରାୟଗଡା ସୀମାନ୍ତ ଲାଞ୍ଜିଗଡ଼ ବ୍ଲକ ଜୈବବିବିଧାତାର ପ୍ରମୁଖ ସ୍ଥାନ ଭାବେ ସୁପରିଚିତ ପ୍ରକୃତିର ଅନନ୍ୟ ସୁନ୍ଦର ଉପହାର ନିୟମଗିରି।ଏଠାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାହିତ କରୁଥିବା କାରଣରୁ ସମ୍ପୂର୍ଣ ଅଞ୍ଚଳର ଜଳବାୟୁ ଶିତଳମୟ। ଏହି ନିୟମଗିରି ଖାଲି ଏକ ପାର୍ବତ୍ୟାଞ୍ଚଳ ଭାବେ ପରିଚୟରେ ସୀମିତ ନୁହେ,ଏହା ଆଦିମ ସଭ୍ୟତାର ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ।ଏଠାର ୪ଟି ବ୍ଲକର ୧୦ଟି ଗ୍ରାମ ପଞ୍ଚାୟତ ମଧ୍ୟରେ ଅନ୍ୟୁନ ୧୧୨ଟି ଗାଁରେ ପାଖାପାଖି ୯୦୦୦ରୁ ଉର୍ଦ୍ଧ ଆଦିମ ଜନଜାତି ଡଙ୍ଗରିଆ,କୁଟିଆ ଓ ଝରଣିଆ କନ୍ଧ ପରିବାର କେଉଁ ଅନାଦି କାଳରୁ ଏଠାରେ ବସବାସ କରି ଆସୁଛନ୍ତି।ରତ୍ନଗର୍ଭା ଏହି ପାହାଡ଼ି ଅଞ୍ଚଳର ବିରଳ ଜଳବାୟୁ ଓ ଉତ୍କୃଷ୍ଟ ମୂର୍ତ୍ତିକା ଯୋଗୁ ଏଠାରୁ ମିଳୁଥିବା ଦୁର୍ଲ୍ଲଭ ବନସ୍ପତିର ଔଷଧିୟ ଗୁଣ ଅତ୍ୟନ୍ତ ପ୍ରଭାବଶାଳୀ।ଏହାର ପର୍ବତ ପୃଷ୍ଠରୁ ଉତ୍ପାଦିତ ହଳଦୀ,ଅଦା,କନ୍ଦା,ପାଳୁ ଓ ୩୦୦ରୁ ଉର୍ଦ୍ଧ ପ୍ରଜାତିର ଔଷଧୀୟ ଜଡ଼ିବୁଟିକୁ ନିଜ ଜୀବନ ଧାରଣର ଜୀବିକା ଭାବେ ଡ଼ଙ୍ଗରିଆମାନେ ଧରି ନେଇଛନ୍ତି।ପାହାଡ ଜଙ୍ଗଲର ଫୁଲ,ଫଳ,ମୂଳ,ପତ୍ର ସବୁ କିଛି ବିଭିନ୍ନ ଋତୁ ଅନୁଯାୟୀ ପ୍ରକୃତି ସେମାନଙ୍କ ଜୀବନ ଜୀବିକା ପାଇଁ ସଜାଇ ରଖିଛି।ଏବେ ଶୀତ ଋତୁର ଏହି ପାହାଡ଼ି ମୂଲକରେ ଅମଳ ହେଉଛି ହଳଦୀ ଆଉ ପାଳୁ।ବେପାରୀ ମାନଙ୍କ ଲମ୍ବା ଲାଇନ ଲମ୍ବିଛି ନିୟମାଗିରିର ତଳୁ ଉପରଯାଏ।କିଛିକିଛି ମହିଳା ମୁଣ୍ଡରେ ପାଳୁର ବୋଝ ନେଇ ମୁନିଗୁଡା,ଲାଞ୍ଜିଗଡ ମାର୍କେଟ ମଧ୍ୟରେ ବୁଲି ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା।ପାଳୁ ଏକ ଔଷଧୀୟ କନ୍ଦା।ଏହାକୁ ଉପଯୁକ୍ତ ପ୍ରଣାଳୀରେ ସେବନ କଲେ ପେଟ ଥଣ୍ଡା ରହିବା ସହ ଅନେକ ପେଟ ଜନିତ ରୋଗ,କାମଳ ରୋଗ ଦୂର ହେବା ସହ ଶରୀରକୁ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ସହ ଆବଶ୍ୟକ ପରିମାଣର ବିଭିନ୍ନ ଭିଟାମିନ ଶରୀରକୁ ମିଳିଥାଏ ବୋଲି ସ୍ଥାନୀୟ ବୈଦ୍ୟ ପ୍ରଦୀପ ସାହୁ ପ୍ରକାଶ କରିଛନ୍ତି।ବାହାର ଅଞ୍ଚଳରୁ ବେପାରୀ ଏହାକୁ କମ ଦାମରେ କିଣି ନେବାକୁ ଚାହୁଁଥିବାରୁ କିଛି ଡଙ୍ଗରିଆ ମହିଳା ବଜାରରେ ବୁଲିବୁଲି ବିକିବା ଦେଖିବାକୁ ମିଳୁଛି। ଆଦିବାସୀଙ୍କ କହିବା କଥା ହେଲା ଆମେ ପାଳୁ ଝୁଡି(ପାଖାପାଖି୨୦ କେଜି)କୁ ବୁଲିବୁଲି ୨୦୦ଟଙ୍କାରେ ବିକୁଥିବା ବେଳେ ବେପାରୀ ଡଙ୍ଗରରେ ପହଞ୍ଚି ୧୦୦ଟଙ୍କାରେ ମାଗୁଛି।ନେଲାବେଳେ ଝୁଡ଼ିରୁ ଢେର ଅଧିକା ପାଳୁ ହାତେଇ ନେଉଛି।ଏଣୁ ଆମେ ବଜାରରେ ବୁଲିକି ବିକିଲେ ଅଧିକା ଦାମରେ ବିକିବା ସହ ଗଲାବେଳେ ସେହି ଟଙ୍କାରେ ଘରପାଇଁ ଆବଶ୍ୟକ ସାମଗ୍ରୀ କିଣି ନେଇ ପାରୁଛୁ।ଯଦି ସରକାରଙ୍କ ତରଫରୁ ଏହାକୁ କିଣିବାର ବ୍ୟବସ୍ଥା କରାଯାଆନ୍ତା ତେବେ ଆମକୁ ବୁଲିବୁଲି ବିକିବାକୁ ଅବା ଠକାମୀର ଶିକାର ହେବାକୁ ପଡୁନଥାନ୍ତା ବୋଲି ପ୍ରକାଶ କରିଛନ୍ତି।ନିୟମଗିରି ପାହାଡରୁ ଅନେକ ଦୁର୍ଲ୍ଲଭ ଦ୍ରବ୍ୟ ମିଳୁଛି।ଡଙ୍ଗରିଆ ମାନଙ୍କୁ ଠକି ବେପାରୀ ମାଲେମାଲ ହେଉଛି।ସରକାରଙ୍କ ଡଙ୍ଗରିଆ ଉନ୍ନୟନ ଯୋଜନା ଯଦି ସଠିକ ଭାବେ ଦୃଷ୍ଟି ଦିଅନ୍ତା ଆଉ କାର୍ଯ୍ୟ କରନ୍ତା ତେବେ ଡଙ୍ଗରରୁ ମିଳୁଥିବା ଦୁର୍ଲ୍ଲଭ ଦ୍ରବ୍ୟ,ଜଡ଼ିବୁଟିର ଉନ୍ନତ ବଜାର ଏଠାରେ ସୃଷ୍ଟି ହୋଇ ପାରନ୍ତା।ଆଉ ଗରିବ ଡଙ୍ଗରିଆ ନିୟମଗିରିର ଡ଼ଙ୍ଗର ସମ୍ପଦରେ
ସ୍ୱାବଲମ୍ବୀ ହୋଇ ପାରନ୍ତେ।ଏଥିପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ତଥା ଆଦିବାସୀ ଉନ୍ନୟନ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।