କଟକ: ଜଣେ ଜବର ଦଖଲକାରୀ ଅଦାଲତରେ ହାଜରହୋଇ ନୋଟିସ୍ର ଜବାବ ଦେଇନପାରିବାର ତାଙ୍କୁ କାକଟପୁର ତହସିଲଦାର ଦଣ୍ଡିତ କରିଥିବାରୁ ଓଡ଼ିଶା ହାଇକୋର୍ଟ ତାହାକୁ ନାପସନ୍ଦ କରିଛନ୍ତି । ଏଥି ସହ ତହସିଲଦାରଙ୍କୁ ମଧ୍ୟ ଦଣ୍ଡ ବିଧାନ କରିଛନ୍ତି ବିଚାରପତି ବିଶ୍ୱନାଥ ରଥ । ଦଣ୍ଡ ସ୍ୱରୂପ କଟକ ସିଡିଏ ଅଞ୍ଚଳରେ ୫୦ଟି ଗଛ ଲଗାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କଟକ ସିଡିଏର ଯେକୌଣସି ସେକ୍ଟରରେ ରାସ୍ତାକଡ଼ରେ ତାଙ୍କୁ ଗଛ ଲାଗଇବାକୁ ହାଇକୋର୍ଟ କହିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଗତବର୍ଷ ସେପ୍େଟମ୍ବର ୧୫ ତାରିଖରେ ଏକ ଜବରଦଖଲ ମାମଲାରେ ଜବରଦଖଲକାରୀ ମିତା ଦାସଙ୍କୁ କାକଟପୁର ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ ।
ଏଣୁ ମିତା କୋର୍ଟରେ ହାଜର ହୋଇଥିଲେ ବି ନୋଟିର ଜବାବ ଦାଖଲ କରି ପାରି ନଥିଲେ । ମାତ୍ର ତାଙ୍କୁ ଜବାବ ଦେବା ଲାଗି ତହସିଲଦାର ସୁଯୋଗ ନଦେଇ ସେହି ଦିନ ତତ୍କ୍ଷଣାତ ଜୋରିମାନା ଦଣ୍ଡାଦେଶ ଶୁଣାଇଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜକରି ମୀତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି ବେଳେ ହାଇକୋର୍ଟ ତହସିଲଦାରଙ୍କର ଏହା ଏକ ବେପରୁଆ କାର୍ଯ୍ୟ ଥିଲା ବୋଲି ଅନୁଭବ କରିଥିଲେ । ତହସିଲଦାରଙ୍କ ଏଭଳି କାର୍ଯ୍ୟ ଯୋଗୁ ଜଣେ ସାଧାରଣ ଲୋକ ନ୍ୟାୟ ପାଇଁ ହାଇକୋର୍ଟକୁ ଆସିବା କଥାକୁ ଜଷ୍ଟିସ ରଥ ନାପସନ୍ଦ କରିଥିଲେ । ଏଥିସହିତ ରାଜ୍ୟର ସମସ୍ତ ତହସିଲଦାରମାନଙ୍କୁ ତାଗିଦ କରିବାକୁ ରାଜସ୍ୱ ଓ ଆଇନ ସଚିବଙ୍କୁ ହାଇକୋଟ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ତହସିଲଦାରଙ୍କ ଏହି ଜବରଦଖଲ ମାମଲାର ଶୁଣାଣି ପୁନର୍ବାର କରିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।