ନୂଆଦିଲ୍ଲୀ: ୟୁରୋପିଆନ ୟୁନିଅନ୍ସ କୋପର୍ନିକସ୍ କ୍ଲାଇମେଟ୍ ଚେଞ୍ଜ୍ ସର୍ଭିସ୍ (ସି୩ଏସ୍) ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଜାରି କରାଯାଇଛି । ରିପୋର୍ଟ ଅନୁସାରେ ୨୦୨୪ ଜୁନ୍ ମାସକୁ ବର୍ଷର ସବୁଠୁ ଉତ୍ତପ୍ତ ମାସ ଭାବେ ଦର୍ଶାଯାଇଛି । ରିପୋର୍ଟରେ ଭାରତରେ ଗତ ଜୁନ୍ ମାସରେ ହୋଇଥିବା ଉତ୍ତାପଜନିତ ମୃତ୍ୟୁ (ଭାରତରେ ମାରାତ୍ମକ ଭାବେ ଉତ୍ତାପ ବୃଦ୍ଧି କାରଣରୁ ବିଭିନ୍ନ ରାଜ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ଓ ସନ୍ଷ୍ଟ୍ରୋକ୍ ଜନିତ ମୃତ୍ୟୁ ସର୍ବାଧିକ, ବିଶେଷ କରି ଜନବହୁଳ ଦିଲ୍ଲୀରେ ଉତ୍ତାପ କାରଣରୁ ଶହ ଶହ ଲୋକଙ୍କ ମୃତ୍ୟୁ) ଏବଂ ସାଉଦିଆରବରେ ହଜାର ହଜାର ହଜ୍ ଯାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଉଲ୍ଲେଖ କରାଯିବା ସହ ଏହାକୁ ନିଶ୍ଚିତ ରୂପେ ଚିନ୍ତାର କାରଣ ଭାବେ ବିବେଚନା କରାଯାଇଛି । ପ୍ରକାଶ, ୨୦୨୪ ପୂର୍ବରୁ ୨୦୨୩ ଜୁନ୍ ମାସକୁ ସବୁଠୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରାଯାଇଥିଲା । ତେବେ ୨୦୨୪ ଜୁନ୍ରେ ଉତ୍ତାପଜନିତ ରେକର୍ଡ ପୂର୍ବବର୍ଷଗୁଡ଼ିକର ସମସ୍ତ ରେକର୍ଡକୁ ଭାଙ୍ଗିଦେଇଛି । ତାପମାତ୍ରାର କ୍ରମାଗତ ବୃଦ୍ଧି ମାନବ-ପ୍ରବର୍ତ୍ତିତ ଜଳବାୟୁ ପରିବର୍ତ୍ତନ ଏବଂ ଏଲ୍ ନିନୋ(ବର୍ଷା ପରିମାଣ ହ୍ରାସ, ଉଷ୍ମ ପବନ ପ୍ରବାହ) ପାଣିପାଗ ପାଇଁ ଦାୟୀ ବୋଲି ବିବେଚନା କରାଯାଉଛି ।
ଗୋଟିଏ ପଟେ ବାୟୁମଣ୍ଡଳକୁ ଛଡାଯାଉଥିବା କାର୍ବନ୍ ଡାଇଅକ୍ସାଇଡ୍ ପରିମାଣ ବଢ଼ିବା ଯୋଗୁ ଦିନକୁ ଦିନ ଉତ୍ତପ୍ତ ହେଉଛି ପୃଥିବୀ । ବିଶ୍ୱର ଏକାଧିକ ଦେଶ ଏପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ ତଥା ସବୁଜ ପୃଥିବୀ କାର୍ଯ୍ୟକ୍ରମ ଉପରେ କାମ କରିବା ଆରମ୍ଭ କରିନାହାନ୍ତି । ଏସବୁ ମଧ୍ୟରେ ତାପମାତ୍ରା ବୃଦ୍ଧି ସମଗ୍ର ମାନବ ସମାଜ ପାଇଁ ଧୀରେ ଧୀରେ ଅଭିଶାପ ପାଲଟିବାରେ ଲାଗିଛି । ଚଳିତ ବର୍ଷ ଜୁନ୍ ବିଶ୍ୱ ତାପମାତ୍ରାର ସବୁ ରେକର୍ଡ ଭାଙ୍ଗିବା ଏସବୁର ଏକ ବଳିଷ୍ଠ ପ୍ରମାଣ । ତେବେ ବର୍ତ୍ତମାନ ସମୟ ଠାରୁ ଯଦି ଏଦିଗରେ ସଚେତନତା ଗ୍ରହଣ କରାନଯାଏ, ଆଗାମୀ ଦିନରେ ଏହାର ଆହୁରି ଉତ୍କଟ ରୂପ ଧାରଣ କରିବ ବୋଲି ପରିବେଶବିତ୍ ମତପୋଷଣ କରିଛନ୍ତି । ସେହିପରି ବରକେଲି ଆର୍ଥର ଅନୁସନ୍ଧାନକାରୀ ବୈଜ୍ଞାନିକ ଜେକେ ହଉସଫାଦର ୨୦୨୪ ବର୍ଷର ତାପମାତ୍ରାକୁ ନେଇ ଆକଳନ କରିଛନ୍ତି ଯେ, ୧,୮୦୦ ଦଶକ ମଧ୍ୟଭାଗରେ ବିଶ୍ୱର ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ୨୦୨୪ ଉତ୍ତପ୍ତ ବର୍ଷ ଭାବେ ୨୦୨୩କୁ ଅତିକ୍ରମ କରିବାର ୯୫% ସମ୍ଭାବନା ରହିଛି । ଇମ୍ପେରିଆଲ୍ କଲେଜ ଲଣ୍ଡନର ଗ୍ରାନ୍ଥମ ଇନଷ୍ଟିଚ୍ୟୁଟର ଜଳବାୟୁ ବୈଜ୍ଞାନିକ ଫ୍ରିଡେରିକ୍ ଓଟ୍ଟୋ କହିଛନ୍ତି ଯେ, ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ଆମେ ଏଲ୍ ନିଓକୁ ଅଟକାଇ ପାରିବା ନାହିଁ, କିନ୍ତୁ ତୈଳ, ଗ୍ୟାସ୍ ଏବଂ କୋଇଲା ଜାଳିବାକୁ ରୋକିପାରିବା । ତେବେ ବୈଜ୍ଞାନିକଙ୍କ ଏସବୁ ଚେତାବନୀ ଦର୍ଶାଉଛି ଯେ, ଜୀବାଶ୍ମ ଇନ୍ଧନରୁ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ । ତେଣୁ ଏହାକୁ ରୋକିବା ଦିଗରେ ଏବେଠାରୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।