ଭୁବନେଶ୍ୱର: ଆଜି ଦେବ ଦେବ ମହାଦେବ ଶ୍ରୀଲିଙ୍ଗରାଜଙ୍କର ପ୍ରସିଦ୍ଧ ଜାଗର ଯାତ୍ରା । ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁପାଶ୍ୱର୍ ଅଞ୍ଚଳକୁ ଲିଚୁ ଓ ରଙ୍ଗିନ ଆଲୋକମାଳାରେ ସଜାଯାଇଛି । ଚଳିତବର୍ଷ ଜାଗର ଯାତ୍ରା ପାଇଁ ମହାପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏହି ଉପଲକ୍ଷେ ବିଡିଏ ବିଏମସି ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ସହରାଞ୍ଚଳର ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୃତି ଶେଷ ହୋଇଥିବାବେଳେ ଏ ନେଇ ଶୁକ୍ରବାର ମନ୍ଦିର ନିକଟରେ ଡିସିପି ପ୍ରିତୀକ ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିସହ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ବିଡିଏ ଉପାଧ୍ୟକ୍ଷ ବଳବନ୍ତ ସିଂ ଙ୍କ ସମେତ ଅନ୍ୟ ଅଧିକାରୀମାନେ ମନ୍ଦିର ଚର୍ତୁପାଶ୍ୱର୍ ବୁଲି ସମସ୍ତ ପ୍ରସ୍ତୁତିର ତଦାରଖ କରିଛନ୍ତି । ପ୍ରଭୁ ଶ୍ରୀ ଲିଙ୍ଗରାଙ୍କ ଦର୍ଶନ ଠାରୁ ଆରମ୍ଭ କରି ଭଜନ ସମାରୋହ କାର୍ଯ୍ୟକ୍ରମରେ ଭକ୍ତମାନଙ୍କର ଭଡି ନ ଜମିବ ।
ସମସ୍ତେ ସୁରୁଖୁରରେ ଦର୍ଶନ କରିବା ସହ ଯେପରି କୌଣସି ଅପ୍ରତିକର ପରିସ୍ଥିତି ନଉପୁଜିବ ତାହାକୁ ଗୁରୁତ୍ୱ ଦିଆଯାଇଛି । ମହାଶିବରାତ୍ରି ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶିବରାତ୍ର ଉପଲକ୍ଷେ ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟ ବାହାରୁ ଆସିବାକୁ ଥିବା ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି ଶୃଙ୍ଖଳାରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବେ ତାସହିତ ସୁରକ୍ଷିତ ଭାବରେ ମହାଶିବ ରାତ୍ରି ପାଳନ କରିବେ, ସେହିସବୁ ଦିଗକୁ ତର୍ଜମା କରାଯାଇ ଏହି ପୋଲିସ ବ୍ୟବସ୍ଥା ଆୟୋଜନ କରାଯାଇଛି । ଏଥି ସହିତ ଶ୍ରଦ୍ଧାଳୁ ତଥା ଅନ୍ୟାନ୍ୟ ସାଧାରଣ ଲୋକମାଙ୍କର ଯାତାୟତରେ କିପରି ସମସ୍ୟା ନ ଉପୁଜିବ ସେଥିପ୍ରତି ମଧ୍ୟ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥି ନିମନ୍ତେ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ଟ୍ରାଫିକ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଡିସିପି ଶ୍ରୀ ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ଜଣ ଆଡିସନାଲ ଡିସିପି, ୧୧ଜଣ ଏସିପି, ୧୯ଜଣ ଇନ୍ସପେକ୍ଟର, ୭୯ଜଣ ଏସଆଇ/ଏଏସଆଇ, ୯୩ଜଣ ଏପିଆର କନଷ୍ଟେବଳ, ୯୧ସେକ୍ସନ ଫୋର୍ସଙ୍କ ସମେତ ୧୦୯ଜଣ ଗୃହରକ୍ଷୀ ବାହିନୀଙ୍କୁ ମୁତୟନ କରାଯାଇଛି ।
କଣ୍ଠଶିଳ୍ପୀ ବାବୁଲ୍ ସୁପ୍ରିୟୋ ଓ ବେଲା ସୁଲାଖେ ମନ କିଣିବେ
ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ ଆୟୋଜନ କରାଯାଇଛି । ଏହି ୩୪ ତମ ଜାତୀୟସ୍ତରୀୟ ଭଜନ ସମାରୋହରେ ପୁଣି ଯୋଗେ ଦେବେ ଭାରତର ଖ୍ୟାତନାମା ଭଜନ ଗାୟିକା କଣ୍ଠଶିଳ୍ପୀ ଅନୁରାଧା ପେଡ୍ୱାଲ୍ । ତାଙ୍କ ସହିତ ପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ୍ ସୁପ୍ରିୟୋ ଓ ବେଲା ସୁଲାଖେ ମଧ୍ୟ ସାମିଲ୍ ହେବେ । ଯାହାକି ଉଭୟଙ୍କ ଗୀତ ଦର୍ଶକଙ୍କ ବେଶ ପସନ୍ଦ ।ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଟିମ୍ ସହ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଣ୍ଠଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଭଜନ ଗାଇବାର ସୁଯୋଗ ପାଇବେ । ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଦିନ ତମାମ୍ ଚାଲିବ । ସନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଭଜନ ସମାରୋହ ଚାଲିବ । ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି ।
ଆଲୋକମାଳାରେ ଚମକୁଛି ମନ୍ଦିର ଚତୁପାଶ୍ୱର୍
ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁପାଶ୍ୱର୍ ଅଞ୍ଚଳକୁ ଲିଚୁ ଓ ରଙ୍ଗିନ ଆଲୋକମାଳାରେ ସଜାଯାଇଛି । ଏଥିସହ ଚଳିତ ଥର ପଡ଼ୋଶୀ ରାଜ୍ୟର ଫୁଲରେ ସିଂହଦ୍ୱାରକୁ ସଜେଇ ଆକର୍ଷଣୀୟ କରାଯାଇଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ଭୁବନେଶ୍ୱର ଫ୍ଲୋରିଷ୍ଟ୍ ଆସୋସିଏସନ୍ ପକ୍ଷରୁ ସିଂହଦ୍ୱାରକୁ ସଜେଇ ଦିଆଯାଇଛି । ଏଏସ୍ଆଇ ପକ୍ଷରୁ ସିଂହଦ୍ୱାର ପିତଳ କବାଟକୁ ସଫା କରାଯିବା ସହ ମନ୍ଦିରର ପ୍ରବେଶ ପଥ ଗୁମୁଟକୁ ରଙ୍ଗ କରାଯାଇଛି । ସେହିପରି ମନ୍ଦିର ଗର୍ଭଗୃହକୁ ରଙ୍ଗ କରାଯାଇ ସୁନ୍ଦର ଚାନ୍ଦୁଆ ବନ୍ଧାଯାଇଛି ।