30.1 C
Bhubaneswar
Saturday, October 5, 2024
Homeଓଡିଶାଅନିଶ୍ଚିତତାରେ ଝାରସୁଗୁଡ଼ା ହାର୍ଟ ହସ୍ପିଟାଲ୍

ଅନିଶ୍ଚିତତାରେ ଝାରସୁଗୁଡ଼ା ହାର୍ଟ ହସ୍ପିଟାଲ୍

ଭୁବନେଶ୍ୱର: ପରିଚାଳନାରୁ କ୍ୱାଲିଟି କେୟାର ହସ୍ପିଟାଲ୍ ଓହରିଲା ଗଲା ପରେ ଝାରସୁଗୁଡ଼ାର ନବନିର୍ମିତ ସୁପର୍ ସ୍ପେଶାଲିଟି ହାର୍ଟ ହସ୍ପିଟାଲ୍ ଅନିଶ୍ଚିତତାକୁ ଠେଲି ହୋଇଯାଇଛି । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଚିଠି ଦେଇ କୈଫିୟତ୍ ତଲବ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲା ବାଲିଜୁରୀଠାରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର୍ ସ୍ପେଶାଲିଟି ହାର୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୨୦୧୨-୧୩ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏଥିପାଇଁ ୭୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ହେବା ସହ ମହାନଦୀ କୋଲ ଫିଲ୍ଡ (ଏମ୍‌ସିଏଲ୍‌) ଏହାର ସିଂହଭାଗ ଦେବ ବୋଲି ସ୍ଥିର ହୋଇଥିଲା । ପରିଚାଳନା ପାଇଁ ୨୦୧୬ରେ କ୍ୱାଲିଟି କେୟାର ହସ୍ପିଟାଲ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପିପିପି ମୋଡ୍‌ରେ ୧୫ ବର୍ଷ ପାଇଁ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର ହୋଇଥିଲା ।

ଏହି ହସ୍ପିଟାଲ ପ୍ରତିଷ୍ଠା ଯୋଗୁଁ କେବଳ ଝାରସୁଗୁଡ଼ାବାସୀ ନୁହଁନ୍ତି, ସମଗ୍ର ପଶ୍ଚିମ ଓଡ଼ିଶାର ଲୋକେ ଭଲ ଚିକିତ୍ସା ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ । ଫଳରେ ପଶ୍ଚିମ ଓଡ଼ିଶାରେ ଆନନ୍ଦର ଲହରୀ ଖେଳି ଯାଇଥିଲା । ମାତ୍ର କ୍ୱାଲିଟି କେୟାର ହସ୍ପିଟାଲ ସବୁ ନିୟମର ଖୋଲା ଉଲ୍ଲଙ୍ଘନ କରି ୨୨ ଅଗଷ୍ଟ ୨୦୨୨ରେ ରାଜ୍ୟ ସରକାରଙ୍କୁ ଚିଠି ଦେଇ ହଠାତ୍ ପରିଚାଳନା ଦାୟିତ୍ୱରୁ ଓହରି ଯାଇଛି । ହସ୍ପିଟାଲ ଭିତ୍ତିଭୂମି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲାବେଳେ କ’ଣ ପାଇଁ ଓ କାହିଁକି କ୍ୱାଲିଟି କେୟାର ହସ୍ପିଟାଲ ପରିଚାଳନାରୁ ଓହରିଲା ସେନେଇ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାରକାରଣ ହୋଇଛି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇଛି । ବିଭାଗୀୟ ଯୁଗ୍ମ ସଚିବ ଡା. ଯସ୍ମିନ ପଟ୍ଟନାୟକ ହରିଆନା ଗୁରୁଗାଁରେ ଥିବା କ୍ୱାଲିଟି କେୟାର ହସ୍ପିଟାଲର ଏକ୍‌ଜୁକୁଟିଭ ଡାଇରେକ୍ଟର କୌସ୍ତଭ୍ ବାସୁଙ୍କୁ ଜରୁରୀ ଚିଠି ଦେଇ ପ୍ରକୃତ କାରଣ ଜାଣିବାକୁ ଚାହିଁଛନ୍ତି ।

ଚିଠି ନମ୍ବର-୧୯୭୩୯/୦୮.୦୯.୨୦୨୨ରେ ସେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ହସ୍ପିଟାଲ ବିଲ୍ଡିଂ ନିର୍ମାଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟ କରିଛନ୍ତି । ଏମ୍‌ଓୟୁ ସ୍ୱାକ୍ଷର ଅନୁସାରେ କାର୍ଯ୍ୟ ହେବା କଥା । ମାତ୍ର ହୋଇ ନାହିଁ । ଧାର୍ଯ୍ୟ ସମୟ ପୂର୍ବରୁ ହସ୍ପିଟାଲ ପରିଚାଳନା ଦାୟତ୍ୱରୁ ଓହରି ଯିବା ଯୋଗୁଁ ଆଇନଗତ ସମସ୍ୟା ଉପୁଜିଛି । ତେଣୁ ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ହେବ ତାହା ସଂପୃକ୍ତ ହସ୍ପିଟାଲ ସ୍ଥିର କରିବା ଉଚିତ୍ । ଏନେଇ କ୍ୱାଲିଟି କେୟାର୍ ହସ୍ପିଟାଲ୍ କତ୍ତୃପକ୍ଷଙ୍କ ଠାରୁ ମତାମତ ଲୋଡ଼ାଯାଇଛି । ଚିଠିକୁ ଜରୁରୀ ମନେ କରି କାହିଁକି ଓ କେଉଁ କାରଣରୁ ଓହରିଛି ସଂସ୍ଥା ତାହା ଲିଖିତ ଭାବେ ସ୍ପଷ୍ଟ କରୁ ବୋଲି ଡା. ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସବୁଠାରୁ ଗୁରୁୁତ୍ୱପୂର୍ଣ୍ଣ କଥା ହେଉଛି ୫.୦୫ ଏକର ଜମିରେ ନିର୍ମିତ ହୋଇଥିବା ଝାରସୁଗୁଡ଼ାର ନବନିର୍ମିତ ସୁପର୍ ସ୍ପେଶାଲିଟି ହାର୍ଟ ହସ୍ପିଟାଲଟି ଓଡ଼ିଶାର ଗରୀବ ଲୋକେ ମାଗଣାରେ ବିଏସ୍‌କେୱାଇ ଯୋଜନାରେ ଚିକିତ୍ସା ସବୁଧା ପାଇଥାନ୍ତେ ।

ଏମଓୟୁରେ ବି ତାହା ସ୍ପଷ୍ଟ ଉଲ୍ଲେଖ ରହିଛି । ସେଥିପାଇଁ କ୍ରମାଗତ ଭାବେ ଉଚ୍ଚସ୍ତରୀୟ ପ୍ରଶାସନିକ ସ୍ତରୀୟ ବୈଠକ ହୋଇଛି । ଗତ ମାର୍ଚ୍ଚ ୨୦୨୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତି ତ୍ରିପାଠୀ ୨୬ ଜୁନ ୨୦୨୦ରେ ଘୋଷଣା କରିଥିଲେ । ପରେ ୨୭ ଫେବ୍ରୁଆରୀ ୨୦୨୧ରେ ଏବର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରି ହସ୍ପିଟାଲ ୩୦ ଜୁନ ୨୦୨୧ ସୁ୍‌ଦ୍ଧା କାର୍ଯ୍ୟକ୍ଷମ ସମୟ ଧାର୍ଯ୍ୟ କରିଥିଲେ । ମାତ୍ର ତାହା ହେଲାନାହିଁ । ସଂପୃକ୍ତ କେୟାର ହସ୍ପିଟାଲ କର୍ତ୍ତୃପକ୍ଷ ଏବର ଓ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ଅବଜ୍ଞା କରି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ତେଣୁ ହସ୍ପିଟାଲର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking