30.1 C
Bhubaneswar
Wednesday, May 28, 2025
Homeଦେଶ ବିଦେଶଭାରତ ସହ ରହିଛି ଜେଡି ଭାନ୍ସଙ୍କ ସମ୍ପର୍କ

ଭାରତ ସହ ରହିଛି ଜେଡି ଭାନ୍ସଙ୍କ ସମ୍ପର୍କ

ୱାଶିଂଟନ୍‌: ଆମେରିକାରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୩୮ ବର୍ଷୀୟ ଜେଡି ଭାନ୍ସଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ରିପୋର୍ଟ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ତଥା ଏଥର ମଧ୍ୟ ରାଷ୍ଟ୍ରପତି ଦୌଡରେ ସାମିଲ ଥିବା ଡୋନାଲ୍ଡ ଟ୍ରମ୍ପ୍ ହିଁ ତାଙ୍କ ଡେପୁଟି ଭାବେ ଜେଡି ଭାନ୍ସଙ୍କ ନାମ ପ୍ରସ୍ତାବିତ କରିଥିଲେ । ସମ୍ପ୍ରତି ଜେଡି ଭାନ୍ସ ଓହିଓ ପ୍ରଦେଶରୁ ସିନେଟର ରହିଛନ୍ତି । ଅନ୍ୟପକ୍ଷେ ଜେଡି ଭାନ୍ସଙ୍କ ନାମ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ପରେ ଭାରତ ସହ ଜେଡି ଭାନ୍ସଙ୍କ ସମ୍ପର୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରହିଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ ସେ ଭାରତୀୟ ବଂଶୋଦ୍ଭବ ତଥା ହିନ୍ଦୁ ଧର୍ମାବଲମ୍ବୀ ଊଷା ଚିଲୁକୁରୀଙ୍କୁ ୨୦୧୪ରେ ବିବାହ କରିଛନ୍ତି । ତାଙ୍କ ପତ୍ନୀ ଊଷାଙ୍କ ଧର୍ମବିଶ୍ୱାସ ତାଙ୍କୁ ସବୁ ସମୟରେ ସହାୟତା କରି ଆସିଛି ବୋଲି ଭାନ୍ସ ଅନେକ ଥର ସ୍ୱୀକାର କରିବାର ଦେଖିବାକୁ ମିଳେ । ଉଭୟଙ୍କର ୩ ସନ୍ତାନ (ଇୱାନ୍ (୬ବର୍ଷ), ବିବେକ (୪), ମିରାବେଲ୍ (୨) ମଧ୍ୟ ଅଛନ୍ତି । ଊଷା ଜଣେ ପେଶାଦାର ଆଇନଜୀବୀ ହୋଇଥିବା ବେଳେ ୟାଲେ ଲ’ ସ୍କୁଲରେ ଜେଡି ଭାନ୍ସ ଏବଂ ଊଷାଙ୍କ ପ୍ରଥମ ଥର ସାକ୍ଷାତ ହୋଇଥିଲା । ପରେ ଏହା ପ୍ରେମର ରୂପ ନେଇଥିଲା ଏବଂ ଉଭୟ କେଞ୍ଚୁକି ଠାରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍ ରୀତିନୀତିରେ ବିବାହ କରିଥିଲେ । ଜେଡି ଭାନ୍ସ ରିପବ୍ଲିକାନ ପାର୍ଟିରେ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଏବେ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କାର୍ଯ୍ୟକ୍ରମ କରୁଛନ୍ତି । ଏପରି ସ୍ଥିତିରେ ସ୍ୱାମୀ ଜେଡି ଭାନ୍ସଙ୍କ ପାଖେ ପାଖେ ରହି ତାଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଚାଲିଛନ୍ତି ଊଷା ।
ଆଗକୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ଆମେରିକାରେ ରାଜନୈତିକ ଉଷ୍ମତା ଜୋର ଧରିଛି । ଏସବୁ ମଧ୍ୟରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ରାଜନୈତିକ ଉଷ୍ମତାକୁ ବ୍ୟାପକ ରୂପ ଦେଇଛି । ତେବେ ଏସବୁ ମଧ୍ୟରେ ରିପବ୍ଲିକାନ୍ କନଭେନସନ୍‌ରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଦଳ ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କ ନାମ ଘୋଷଣା କରାଯାଇଛି । ପ୍ରକାଶ, ବାଇଡେନ୍ ନିଜ ଡେପୁଟି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍‌ଙ୍କୁ ଚୟନ କରିଥିଲେ । ଯାହାଫଳରେ ବାଇଡେନ୍‌ଙ୍କ ସରକାରରେ କମଳା ହ୍ୟାରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ତେବେ ଏଥର ଜେଡି ଭାନ୍ସ ନିର୍ବାଚନ ଜିତିଲେ ଭାରତୀୟ ଜ୍ୱାଇଁ ଭାବେ ଏହି ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking