28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶକାନାଡ଼ାକୁ କଡା ଜବାବ ଦେଲେ ଜୟଶଙ୍କର

କାନାଡ଼ାକୁ କଡା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ : ଭାରତ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଥିବା ସମ୍ପର୍କରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ମନ୍ତବ୍ୟର କିଛି ମୂଲ୍ୟ ନାହିଁ। କାରଣ ତାଙ୍କ ସରକାରଙ୍କ ପ୍ରୋତ୍ସାହନକ୍ରମେ ଖଲିସ୍ତାନୀ ସଂଗଠନଗୁଡ଼ିକ ପକ୍ଷରୁ ସମଗ୍ର କାନାଡ଼ାରେ ପୁଣି ଭାରତ ବିରୋଧୀ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରାରେ ସବୁଆଡ଼ୁ ଖଲିସ୍ତାନୀ ସମର୍ଥକଙ୍କୁ ଏକାଠି କରିବା ଉଦ୍ୟମ ହେଉଥିବା ସୂଚନା ମିଳିଛି। କାନାଡ଼ାରେ ଭାରତ ପକ୍ଷରୁ ଶିଖ୍‌ମାନଙ୍କ ବିରୋଧରେ ହିଂସାକାଣ୍ଡ ସୃଷ୍ଟି ଉଦ୍ୟମ କରାଯାଉଛି ଏବଂ ଏହାର ମୁକାବିଲା ପାଇଁ ସମସ୍ତ ଶିଖ୍‌ ପନ୍ଥମାନେ ଏକାଠି ହେବାକୁ ନିବେଦନପତ୍ର ବଣ୍ଟା ଯାଇଛି। ବ୍ରିଟିଶ କଳମ୍ବିଆ ଅନ୍ତର୍ଗତ ସରେ ଗୁରୁଦ୍ବାରଠାରେ ମୁଖ୍ୟ ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଛି।

ଅପରପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ପର୍କରେ ଭାରତ କାହାଠାରୁ ଶିଖିବାର ନାହିଁ। କାନାଡ଼ା ପ୍ରଧାନମନ୍ତ୍ରୀ ତାଙ୍କ ଦେଶରେ ଅଭିବ୍ୟକ୍ତିର ସ୍ବାଧୀନତା ବିଷୟ କହୁଛନ୍ତି; କିନ୍ତୁ ଏହି ଆଳରେ ଆତଙ୍କବାଦୀ, ଚରମପନ୍ଥୀଙ୍କୁ ଆଶ୍ରୟ ଦେବା ସହ ହିଂସାକାଣ୍ଡକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ହିଁ ବାସ୍ତବ ସମସ୍ୟା। କାନାଡ଼ାରେ ଯାହା ସବୁ ଘଟୁଛି ଏହାକୁ ସାଧାରଣ କଥା ଭାବି ଏଡ଼ାଇ ଦିଆଯାଇପାରିବ ନାହିଁ। ଭାରତ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ବାକ୍‌ ସ୍ବାଧୀନତା ସମ୍ପର୍କରେ ଦେଶବାସୀ ଖୁବ୍‌ ସଚେତନ। ଏହା ମାଧ୍ୟମରେ ହିଂସାକୁ ପ୍ରୋତ୍ସାହନ ଦିଆଯାଇନପାରେ। ଏପରି ହେଲେ ବାକ୍‌ ସ୍ବାଧୀନତାର ଅପବ୍ୟବହାର ହେବ, ସ୍ବାଧୀନତାର ସୁରକ୍ଷା କରାଯାଇପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି।

ୱାଶିଂଟନ୍‌ଠାରେ ସାମ୍ବାଦିକମାନଙ୍କୁ ଭାରତ ସ୍ଥାନରେ ଥିଲେ ଅନ୍ୟ ରାଷ୍ଟ୍ରମାନେ କ’ଣ କରିଥାନ୍ତ ବୋଲି ଜୟଶଙ୍କର ପ୍ରଶ୍ନ କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପ୍ରସଙ୍ଗରେ କାନାଡ଼ା ପ୍ରତ୍ୟକ୍ଷ ଭାବେ ଭାରତ ସହିତ ଆଲୋଚନା କରି ମାମଲାର ମୀମାଂସା କରିପାରିଥା’ନ୍ତା। ଏଥିପାଇଁ ଭାରତ ଏହାର ଦ୍ବାର ବନ୍ଦ ମଧ୍ୟ କରିନାହିଁ। କାନାଡ଼ା ଅଦ୍ୟାବଧି ଭାରତକୁ ନିଜାର ହତ୍ୟା ସମ୍ପର୍କିତ ତଥ୍ୟ ପ୍ରମାଣ ପ୍ରଦାନ କରିନାହିଁ। ପୁନଶ୍ଚ ଭାରତ ବାରମ୍ବାର କେତେକ ଅପରାଧୀ ଓ ଆତଙ୍କବାଦୀଙ୍କ ପ୍ରତ୍ୟର୍ପଣ ପାଇଁ ନିବେଦନ କରିଥିଲେ ମଧ୍ୟ ଏହାକୁ କାନାଡ଼ା ସରକାର ଚାପି ରଖିଛନ୍ତି। ଭାରତର ପ୍ରତିବାଦ ସତ୍ତ୍ବେ ଗତ କିଛି ବର୍ଷ ଧରି କାନାଡ଼ା ସରକାର ଖଲିସ୍ତାନୀ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇଆସିବା ହିଁ ବାସ୍ତବ ସମସ୍ୟା। ଆତଙ୍କବାଦ ପ୍ରସଙ୍ଗରେ କାନାଡ଼ାର ଭୂମିକା ଉପରେ ବିଶ୍ବ ସମୁଦାୟ ପ୍ରଶ୍ନ ଉଠାଇବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking