ଡୁନେଡାଇନ୍: ନ୍ୟୁଜିଲାଣ୍ଡ ପେସ୍ର କାଇଲ୍ ଜାମିସନ୍ଙ୍କୁ ବାଂଲାଦେଶ ବିପକ୍ଷରେ ଚଳିତ ଦିନିକିଆ ସିରିଜ୍ରୁ ବିଶ୍ରାମ ଦିଆଯାଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ସୋମବାର ଏହି ସୂଚନା ଦେଇଛି । ନିକଟରେ ଶେଷ ହୋଇଥିବା ଟେଷ୍ଟ୍ ସିରିଜ୍ରୁ ଫେରିବା ପରେ ଜାମିସନ୍ ଅସହଜ ଅନୁଭବ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି କାରଣରୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ରେ ସେ ମାତ୍ର ମାତ୍ର ଚାରି ଓଭର୍ ବୋଲିଂ କରିଥିଲେ । ଫଳରେ ଡୁନେଡାଇନ୍ରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିପାରି ନଥିଲେ । ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୪୪ ରନ୍ରେ ବିଜୟୀ ହୋଇଥିଲା । ଏହି ନିଷ୍ପତ୍ତି ଅନୁସାରେ ଜାମିସନ୍ ବୁଧବାର ନେଲ୍ସନ୍ ଏବଂ ଶନିବାର ନାପିୟର୍ରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ର ବାକି ମ୍ୟାଚ୍ରେ ଅନୁପସ୍ଥିତ ରହିବେ । ତେବେ ନାପିୟର୍ରେ ୨୭ରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବେ । ପୂର୍ବରୁ ନ୍ୟୁଜିଲାଣ୍ଡ ସ୍କ୍ୱାଡ୍ରେ ଇନ୍ଜୁରୀ କଭର୍ ଭାବେ ସ୍ଥାନ ପାଇଥିବା ୱେଲିଂଟନ୍ ଫାଷ୍ଟ୍ ବୋଲର୍ ବେନ୍ ସିୟର୍ସ ଜାମିସନ୍ଙ୍କୁ ଜାମିସନ୍ଙ୍କ କଭର୍ ଭାବେ ସାମିଲ କରାଯାଇଛି । ୨୫ ବର୍ଷୀୟ ଫାଷ୍ଟ୍ ବୋଲର୍ ସିୟର୍ସ ବର୍ଷକ ତଳେ ଶେଷଥର ପାଇଁ ନେଦରଲାଣ୍ଡ ବିପକ୍ଷରେ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏବେ ସେ ଦିନିକିଆ ପଦାର୍ପଣ କରିପାରନ୍ତି । ଅନ୍ୟପକ୍ଷରେ ଟପ୍ ଅର୍ଡର ବ୍ୟାଟର୍ ଫିନ୍ ଆଲେନ୍ ଅକ୍ଲାଣ୍ଡ ପକ୍ଷରୁ ଏକ ଘରୋଇ ଟି-୨୦ ମ୍ୟାଚ୍ ଖେଳିବାକୁ ଥିବାରୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଅନୁପସ୍ଥିତ ରହିବେ । ତେବେ ଅନ୍ତିମ ଦିନିକିଆ ପାଇଁ ଟିମ୍ରେ ଯୋଗଦେବା ଆଶା କରାଯାଉଛି ।