ଯାଜପୁର : ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ଆଗାମୀ ଜାନୁଆରୀ ୧ ତାରିଖ ଠାରୁ ସଡ଼କ ସୁରକ୍ଷା ମାସ ପାଳନ ହେବ। ୨୦୨୩ ମସିହାରେ ରାସ୍ତା ଦୁର୍ଘଟଣାରେ ୪୯୩ ଜଣ ଆହତ ହୋଇଥିବା ବେଳେ ୨୪୪ ଜଣ ମୃତ୍ୟୁବରଣ କରିଥିଲେ। ସେହିପରି ୨୦୨୪ ମସିହା ରେ ତା ୩୦.୧୨.୨୦୨୪ ରିଖ ସୁଦ୍ଧା ରାସ୍ତା ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୯୪ ଜଣ ଥିବାବେଳେ ୨୬୬ ଜଣ ମୃତ୍ୟୁବରଣ କରିଥିଲେ।ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ। ରାସ୍ତାର ଅବସ୍ଥା ମଦ ପିଇ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ନାବାଳକମାନେ ଗାଡ଼ି ଚଳାଇବା ରାସ୍ତା ଦୁର୍ଘଟଣାର ପ୍ରଥମ କାରଣ। ରାସ୍ତାରେ ଥିବା ପଟ୍ ହୋଲ ମରାମତି କରିବା, ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଏନ୍.ଏଚ୍.ଏ.ଆଇ ଓ ରାସ୍ତା ଓ ଗୃହ ବିଭାଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ ଓ ସିଟ୍ ବେଲ୍ଟ୍ ପରିଧାନ ନକରିବା, ୨ ଚକିଆ ଯାନରେ ୩ ଜଣ ବସି ଗାଡ଼ି ଚଳାଇବା ଦୁର୍ଘଟଣାର ପ୍ରମୁଖ କାରଣ। ତେଣୁ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନଦେଇ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଓଭରଲୋଡ଼ିଂ, ଗାଡ଼ିର ଫିଟନେସ, ଅବୈଧ ପାର୍କିଂ, ଭୁଲ ସାଇଡ୍ ରେ ଡ୍ରାଇଭିଂ, ଇଣ୍ଡିକେଟର ଲାଇଟ୍, ବ୍ୟାକ ଲାଇଟ୍, ଟାୟାର କଣ୍ଡିସନ୍, ଇତ୍ୟାଦି ତନଖି କରିବାକୁ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଣ୍ଡିଖୋଲରୁ ଡ଼ୁବୁରୀ ରାସ୍ତା ପାଣିକୋଇଲି ରୁ ବ୍ୟାସନଗର ଏବଂ ଚଣ୍ଡିଖୋଲ ରୁ ପାରାଦୀପ ରାସ୍ତାରେ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ତାରିଖ ସୁଦ୍ଧା ଶେଷ କରିବାକୁ ରୋଡ ଏଜେନ୍ସୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତାରେ ସାଇନେଜ ଲଗାଇବା, ବ୍ଲାକ ସ୍ପଟ୍ ଚିହ୍ନଟ କରିବା, ଆର.ଟି.ଓ ଓ ତହସିଲଦାରମାନେ ଯୁଗ୍ମ ପରିଦର୍ଶନ କରି ଅନଧିକାର ଦଖଲ ହଟାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବା, ଯାଜପୁର ଟାଉନ ଓ ବ୍ୟାସନଗର ସହରରୁ ରାସ୍ତା ଉପରେ ବସିଥିବା ଦୋକାନୀଙ୍କୁ ହଟାଇବା ପାଇଁ ତହସିଲଦାର ମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ କହିଲେ ଚଣ୍ଡିଖୋଲ, ଛତିଆ, କୁଆଖିଆ, ଜାରକା ଓ ପାଣିକୋଇଲି ଅଞ୍ଚଳରେ ରାସ୍ତା ଜବର୍ ଦଖଲ ହଟାଇବା ଓ ଅବୈଧ ଗାଡ଼ି ପାର୍କିଂ ଯୋଗୁ ଦୁର୍ଘଟଣା ବୃଦ୍ଧି ପାଇଛି। ତହସିଲଦାରମାନଙ୍କ ସହାୟତାରେ ଜବର ଦଖଲ ହଟାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସଡ଼କ ସୁରକ୍ଷା ମାସରେ ଡ଼୍ରାଇଭର ମାନଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର ମାନ ଆୟୋଜନ ହେବ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ଚଣ୍ଡିଖୋଲ ଓ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ, ଏନ୍.ଏଚ୍.ଏ.ଆଇ, କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡ଼ି, ତହସିଲଦାର, ଦର୍ପଣ, ରସୁଲପୁର, ଯାଜପୁର, ଧର୍ମଶାଳା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ନୀଳକଣ୍ଠ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ମିଳିତ ଭାବେ ଦୁର୍ଘଟଣାର ନିରାକରଣ ଲାଗି ସମସ୍ତଙ୍କ ସହଯୋଗ କାମନା କରିଥିଲେ।