ଯାଜପୁର : ଦ୍ୱିତୀୟ ଦିନରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ରଥ ପ୍ରତିଷ୍ଠା ପରେ ମା ବିରଜାଙ୍କ ରଥ ମନ୍ଦିର ଚାରିପଟେ ପରିକ୍ରମା କରିଥିଲା। ରଥଯାତ୍ରା ସମୟରେ ଘଣ୍ଟା ଘଣ୍ଟା,ହୋଳାହୋଳି ଓ ହରିବୋଲ ଧ୍ୱନୀରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। କୋରୋନା କଟକଣା ଭିତରେ କେବଳ ସେବାୟତମାନଙ୍କ ଦ୍ୱାରା ଏହି ରଥ ଟଣା ଯାଇଥିଲା। ରଥଟଣା ସମୟରେ ବିରଜା ମନ୍ଦିର ଚତୁଃପାଶ୍ୱର୍ରେ 144 ଧାରା ଜାରି କରାଯାଇଛି। କୌଣସି ସାଧାରଣ ଭକ୍ତଙ୍କୁ ରଥ ପାଖକୁ କିମ୍ଵା ରଥ ଟାଣିବାକୁ ବାରଣ କରାଯାଇଛି। ଆଗାମୀ 24 ତାରିଖ ପର୍ଯ୍ୟନ୍ତ ମା’ଙ୍କ ରଥ ପ୍ରତିଦିନ ମନ୍ଦିର ଚାରିପଟେ ବେଢା ପରିକ୍ରମା କରିବ। ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।