ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନିକଟସ୍ଥ ଜଗମୋହନ ନଗର ଅଞ୍ଚଳରେ କମିଶନରେଟ ପୋଲିସ ପକ୍ଷରୁ ଏକ ପୋଲିସ୍ ଫାଣ୍ଡି ଆରମ୍ଭ କରାଯାଇଛି । ଦ୍ୱୈତ ନଗରୀରର ପୋଲିସ୍ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଶନିବାର ଏହି ଫାଣ୍ଡିର ଉଦ୍ଘାଟନ କରିଥିବା ବେଳେ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଉପସ୍ଥିତ ଥିଲେ । ଜଗମୋହନ ନଗର ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଥିବା ବେଳେ ଆଇଟିଇଆର୍ କଲେଜରେ ହଜାର ହଜାର ସଂଖ୍ୟାର ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ଆସିଥାନ୍ତି । ଶିକ୍ଷାନୁଷ୍ଠାନ ନିକଟବର୍ତ୍ତୀ ଅଂଚଳଗୁଡ଼ିକରେ ଅନେକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆଇନ୍ ଶୃଙ୍ଖଳା ପରିସ୍ଥିତିର ତଦାରଖ, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାର ସଠିକ ପରିଚାଳନା ନିମନ୍ତେ ଏହି ଅଂଚଳରେ ଏକ ଫାଣ୍ଡିର ଆବଶ୍ୟକତା ରହିଥିଲା ବୋଲି ଏହାର ଉଦ୍ଘାଟନ କରି ପୋଲିସ୍ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ।