ଇସଲାମାବାଦ: ପାକିସ୍ତାନରେ ମହିଳାଙ୍କୁ ଦୁଷ୍କର୍ମ ଓ ଅତ୍ୟାଚାରର ମାମଲା ଲଗାତାର ବଢ଼ି ଚାଲିଛି । ରାଜଧାନୀ ଇସ୍ଲାମାବାଦରେ ମଧ୍ୟ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ଏବେ ପାକିସ୍ତାନରୁ ଏକ ଛାତି ଥରା ଖବର ସାମ୍ନାକୁ ଆସିଛି । ଯାହାକୁ ପଢ଼ିବା ପରେ ଆପଣ ବି କହିବେ ଏଠାରେ ରକ୍ଷକ ସାଜିଛି ଭକ୍ଷକ । ୟୁନିସେଫ୍ର ଜଣେ ମହିଳା ଅଧିକାରୀଙ୍କୁ ତାଙ୍କର ହିଁ ସୁରକ୍ଷା ଗାର୍ଡ ଦୁଷ୍କର୍ମ କରିଥିବା ନେଇ ଏକ ମାମଲା ସାମ୍ନା ଆସିଛି । ଏଥିରୁ ଜଣାପଡ଼ୁଛି ଯେ ମହିଳାମାନେ ସେଠାରେ କେତେ ସୁରକ୍ଷିତ ଅଛନ୍ତି । ସୂଚନା ଅନୁଯାୟୀ, ଇସ୍ଲାମାବାଦରେ କାର୍ଯ୍ୟରତ ୟୁନିସେଫ୍ ଅଧିକାରୀଙ୍କ ସହ ତାଙ୍କ ଘରେ ମୁତୟନ ଥିବା ଜଣେ ସୁରକ୍ଷା ଗାର୍ଡ ଦୁଷ୍କର୍ମ କରିଛନ୍ତି ।
ଅଧିକାରୀ ଜଣକ ଆବାପାରା ପୋଲିସ ଷ୍ଟେସନ୍ରେ ଅଭିଯୁକ୍ତ ଗାର୍ଡଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୀଡ଼ିତା ୧୦ ଜାନୁଆରୀରୁ ପାକିସ୍ତାନରେ କାମ କରୁଛନ୍ତି । ଏଫ୍ଆଇଆରରେ କୁହାଯାଇଛି ଯେ ଗାର୍ଡ ତାଙ୍କ ବେଡରୁମ୍ରେ ପଶି ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା । ତା’ ପରେ ତାଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲା । ଏହି ଗାର୍ଡ ୟୁନିସେଫ୍ ଅଧିକାରୀଙ୍କ ଘରେ ମାର୍ଚ୍ଚ ୧୧ର ମୁତୟନ ଥିଲା । ଘଟଣା ପରେ ସେ ସେଠାରୁ ଫେରାର ହୋଇଯାଇଛି । ପୋଲିସ ଏବେ ତାକୁ ଖୋଜୁଥିବା କହିଛି । ତେବେ ନିକଟରେ କହୁଟାରେ ମଧ୍ୟ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏ ନେଇ ପୀଡ଼ିତାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ମଙ୍ଗଳବାର ରାତିଠାରୁ ନିରୁଦ୍ଦିଷ୍ଟ ଥିଲେ । ତାଙ୍କୁ କିଛି ଦୁର୍ବୃତ୍ତ ଏକ ନିର୍ମାଣାଧୀନ ଘରକୁ ନେଇ ସେଠାରେ ବଳାତ୍କାର କରିଥିଲେ । ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।