18.1 C
Bhubaneswar
Monday, November 25, 2024
Homeଓଡିଶାଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଆଦର୍ଶ ବିଦ୍ୟାଳୟକୁ ଶୀଘ୍ର କାର୍ଯ୍ୟକ୍ଷମ କରବା ପାଇଁ ଆସନ୍ତା ଶିକ୍ଷାବର୍ଷ ଜୁନ୍ ୨୦୨୨ ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ । ସେହିପରି ଆସନ୍ତା ଡିସେମ୍ବର ୨୦୨୧ ମଧ୍ୟରେ ସ୍କୁଲ ଗୃହର ପୁନଃବିନ୍ୟାସ ଏବଂ ରୂପାନ୍ତରଣ କାର୍ଯ୍ୟ ଏବଂ ୮୦ଟି ବାଳିକା ହଷ୍ଟେଲ ଗୃହ କାର୍ଯ୍ୟ ଶେଷ କରିବାକୁ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମାସିକ ସମୀକ୍ଷା ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଏ ସଂପର୍କରେ ସୂଚିତ କରିଛନ୍ତି ।

ପ୍ରମୁଖ ସଚିବ ଶ୍ରୀ ସାହୁ ଆସନ୍ତା ଶିକ୍ଷାବର୍ଷ ଜୁନ୍‌ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଅଟ୍ଟାଳିକାରେ ପାଠପଢ଼ା କାର୍ଯ୍ୟ ଆରମ୍ଭ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ବିରିଡ଼ି, ଅସ୍ତରଙ୍ଗ, ଝାରବନ୍ଧ(ବରଗଡ଼) ପ୍ରଭୃତି ସ୍ଥାନରେ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ହୋଇନଥିବାରୁ ସଚିବ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌ରେ ନୂତନ ସ୍ଥାନ ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ଆସନ୍ତା ଶିକ୍ଷାବର୍ଷ ପ୍ରାରମ୍ଭରେ ୮୦ଟି ଛାତ୍ରୀନିବାସ କାର୍ଯ୍ୟକ୍ଷମ କରାଯିବ । ଏଥି ସହିତ ଯେଉଁ ଆଦର୍ଶ ବିଦ୍ୟାଳୟର ପାଚେରି ନାହିଁ ସେହି ସ୍କୁଲର ପାଚେରି ନିର୍ମାଣ କରିବା ପାଇଁ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଥିବା ବିଦ୍ୟାଳୟଗୁଡ଼ିକରେ ଆପ୍ରୋଚ୍ ରୋଡ୍ କାର୍ଯ୍ୟ ହାତକୁ ନିଆଯିବ ଏବଂ ନିର୍ମାଣ ବିଭାଗ ସମସ୍ତ ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ଯୋଗାଇ ଦେବା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଯାହା ଦ୍ୱାରା କି ଅତିରିକ୍ତ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯାଇପାରିବ । ସମସ୍ତ ନିର୍ବାହୀ ସଂସ୍ଥାଗୁଡ଼ିକ ଉନ୍ନତ ମାନର ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହ ଏଗୁଡ଼ିକରେ ୱାଟର ପ୍ରୁଫ ରଙ୍ଗ କରିବାକୁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବା ମଡେଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ନକ୍ସା ଓ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି, ଯାହାକି ଯଥାଶୀଘ୍ର ଓବିସିସି ମାଧ୍ୟମରେ ହୋଇ ୨୦୨୩ ମସିହାରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଉକ୍ତ ଉତ୍କର୍ଷ ଆଦର୍ଶ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୫୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବାକୁ ସରକାରଙ୍କର ଲକ୍ଷ୍ୟ ଅଛି । ଏ ସମସ୍ତ କାମକୁ ଓଡ଼ିଶା ବ୍ରିଜ୍ ନିର୍ମାଣ ନିଗମକୁ ୨୦୨୩ ସୁଦ୍ଧା ସାରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ ନିର୍ମାଣ, ମୁଖ୍ୟଯନ୍ତ୍ରୀ, ଜଳ ଓ ପରିମଳ ବିଭାଗ, ମୁଖ୍ୟଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲର କ୍ଷେତ୍ର ଅଧିକାରୀ ପ୍ରମୁଖ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking