ନୂଆଦିଲ୍ଲୀ: ଗତ ବର୍ଷ ଋଷ-ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ବିରାମ ଲାଗି ନାହିଁ । ସେପଟେ ଏବେ ଇସ୍ରାଏଲ-ସିରିଆ ମଧ୍ୟରେ ଆରମ୍ଭ ହୋଇଛି ତିକ୍ତତା । ଏହାମଧ୍ୟରେ ଇସ୍ରାଏଲ ସିରିଆକୁ ନିଜର ଶକ୍ତି ଦେଖାଇଛି । ପୁଣିଥରେ ସିରିଆ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ସିରିଆର ରାଜଧାନୀ ଦମସିକ ଆନ୍ତର୍ଜାତିକ ବିମାନ ବନ୍ଦର ଉପରେ ଇସ୍ରାଏଲ ମିସାଇଲ ଆଟାକ କରିଛି । ବିଳମ୍ବିତ ରାତିରେ ଇସ୍ରାଏଲର ଯୁଦ୍ଧ ବିମାନ ସିରିଆର ଏୟାରପୋର୍ଟକୁ ଟାର୍ଗେଟ କରିଛି ।
ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଇସ୍ରାଏଲ ସିରିଆର ଦମସିକ ଏୟାରପୋର୍ଟ ଉପରେ ୪ଟି ମିସାଇଲ ମାଡ କରିଛି । ଏଥିସହିତ ଏୟାରପୋର୍ଟର ଆଖପାଖ ଅଞ୍ଚଳରେ ମଧ୍ୟ ଟାର୍ଗେଟ କରାଯାଇଛି । ତେବେ ଇସ୍ରାଏଲର ଏହି ମିସାଇଲ ମାଡରେ ୨ ଜଣ ସିରିଆ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏହି ଆକ୍ରମଣ ଫଳରେ ସିରିଆର ମୁଖ୍ୟ ଏୟାରପୋର୍ଟକୁ ବନ୍ଦ କରିବାକୁ ପଡିଛି । ଏ ନେଇ ସିରିଆ ସେନା ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଇସ୍ରାଏଲ ସେନା ପକ୍ଷରୁ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।
ତେବେ ଦମସିକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଥିବା କୋଠା ଇସ୍ରାଏଲର ଲକ୍ଷ୍ୟ ଥିଲା ବୋଲି କୁହାଯାଇଛି। ଇରାନର ଅସ୍ତ୍ରଶସ୍ତ୍ର ଏଠାରେ ରଖାଯାଇଥିଲା ଯାହା କିଛି ଦିନ ପୂର୍ବରୁ ସିରିଆରେ ପହଞ୍ଚିଥିଲା। ଏହି ଆକ୍ରମଣରେ ଦୁଇଟି ଟାର୍ଗେଟରେ ଗୁରୁତର କ୍ଷତି ଘଟିଥିବା ଜଣାଯାଇଛି।