ନୂଆଦିଲ୍ଲୀ: ହମାସ ସହିତ ଯୁଦ୍ଧ ବିରତି ହୋଇଥିଲେ ସୁଦ୍ଧା ନିଜ ଶତ୍ରୁମାନଙ୍କୁ ତ୍ରାହି ଦେବାକୁ ଚାହୁଁନାହିଁ ଇସ୍ରାଏଲ । ସୂଚନା ଅନୁସାରେ, ଇସ୍ରାଏଲ ବାୟୁ ସେନା ପୂର୍ବ ଲେବାନନ୍ରେ ଥିବା ହିଜବୁଲ୍ଲା ଠିକଣା ଉପରେ ଜୋରଦାର ବୋମା ବର୍ଷଣ କରିଛି । ହିଜବୁଲ୍ଲା ଯୁଦ୍ଧାସ୍ତ୍ର ଚୋରାଚାଲାଣ କରୁଥିବା ଠିକଣାକୁ ଇସ୍ରାଏଲ ବାୟୁ ସେନା ଟାର୍ଗେଟ କରିଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ଦେଶର ବାୟୁ ସେନା ଲେବାନନ-ସିରିୟା ସୀମା ପାଖରେ ଥିବା ଏକ ଗାଁ ଉପରେ ଆକ୍ରମଣ କରିଛି ।
ଯୁଦ୍ଧାସ୍ତ୍ର ଚୋରା ଚାଲାଣ ପାଇଁ ହିଜବୁଲ୍ଲା ବ୍ୟବହାର କରୁଥିବା ଭିତ୍ତିଭୁମିଗୁଡ଼ିକୁ ଧ୍ୱଂସ କରି ଦିଆଯାଇଛି। ସେପଟେ ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନାକୁ ଆଧାର କରି ରୟଟର୍ସରେ ଖବର ପ୍ରକାଶ ପାଇଛି ଯେ, ଇସ୍ରାଏଲ ଆକ୍ରମଣରେ ପ୍ରାୟ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ହିଜବୁଲ୍ଲା ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଏହାର ଏକ ଡ୍ରୋନ୍ ଇସ୍ରାଏଲ କ୍ଷେତ୍ରରେ ପ୍ରବେଶ କରିଥିବା ଜଣାପଡ଼ିଛି । ଏସବୁ ଘଟଣାକୁ ଦେଖିଲେ, ଆଗକୁ ପୁଣି ଥରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିପାରେ ବୋଲି ଆଶଙ୍କା କରାଯାଉଛି । ଚଳିତ ସପ୍ତାହ ଆରମ୍ଭରେ ଯୁଦ୍ଧ ବିରାମ ବୁଝାମଣାକୁ ଉଲ୍ଲଂଘନ କରିବ ବୋଲି ଧମକ ଦେଇଥିଲା ହିଜବୁଲ୍ଲା । ଏହା ପରେ କୌଣସି ପ୍ରକାର ଆତଙ୍କବାଦୀ ଗତିବିଧିରେ ଲିପ୍ତ ରହିଲେ ହିଜବୁଲ୍ଲାକୁ ଜବାବ ଦିଆଯିବ ବୋଲି କହିଥିଲା ଇସ୍ରାଏଲ । ଇସ୍ରାଏଲ ସେନାର ସୂଚନା ଅନୁସାରେ, ଇସ୍ରାଏଲ ହିତକୁ ଦୃଷ୍ଟି ରଖି ଇସ୍ରାଏଲ ସେନା ଏବେ ବି ଦକ୍ଷିଣ ଲେବାନନ୍ରେ ଡେରା ପକାଇଛି ।