ଭୁବନେଶ୍ୱର: ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ୍ ଏବଂ ଫଲିକ୍ ଏସିଡ୍ (ଆଇଏଫଏ) ବଟିକା । ଜୁନ୍ ୧୬ ଯାଏ ଘରକୁ ଘର ବୁଲି ବଟିକା ଦିଆଯିବ । ଏନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ୨୦୨୨ ନଭେମ୍ବରରେ ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଲାନ) ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଖରାଛୁଟିରେ ଛାତ୍ରଛାତ୍ରୀ ପିଛା ୮ଟି ଆଇଏଫଏ ବଟିକା ବଣ୍ଟନ କରିବାକୁ ଶିକ୍ଷକଙ୍କୁ କୁହାଯାଇଛି ।
ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଇଏଫଏ ପିଙ୍କ୍ ବଟିକା ଏବଂ ଷଷ୍ଠରୁ ଦ୍ୱାଦଶଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଇଏଫଏ ବ୍ଲୁ ବଟିକା ଦେବାକୁ କୁହାଯାଇଛି । ବଟିକାର ଏକ୍ସପାରୀ ତାରିଖ ଯାଞ୍ଚ କରି ଏହାକୁ ଅଭିଭାବକଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି । ବଟିକା ଏକ୍ସପାରୀ ହୋଇଯାଇଥିଲେ ଏହାକୁ ଫେରସ୍ତ କରିବାକୁ କୁହାଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଆଇଏଫଏ ବଟିକା ପ୍ରଦାନ ପୂର୍ବରୁ ଭଲ ଭାବେ ବୁଝାଇବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରତି ସୋମବାର ମଧ୍ୟାହ୍ନ ଭୋଜନ/ରାତ୍ରି ଭୋଜନ ପରେ ଗୋଟେ ଗିଲାସ ପିଇବା ପାଣି ସହିତ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ଗୋଟିଏ ଆଇଏଫଏ ବଟିକା ଖାଇବାକୁ କୁହାଯାଇଛି । ଯଦି ସମ୍ଭବ ହୁଏ, ପିଲାମାନେ ଘରେ ଖରାଛୁଟିରେ ଆଇଏଫଏ ବଟିକା କିପରି ଖାଉଛନ୍ତି, ତାହାର ତଦାରଖ ବିଦ୍ୟାଳୟ ପରିଚାଳନା କମିଟି କରିବ ।