17.1 C
Bhubaneswar
Tuesday, November 26, 2024
Homeଆଇପିଏଲ୍ -2022କ୍ରମାଗତ ତୃତୀୟ ମ୍ୟାଚ୍ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ, ପରାଜୟ ଧାରା ଭାଙ୍ଗିଲା ପଞ୍ଜାବ କିଙ୍ଗ୍‌ସ

କ୍ରମାଗତ ତୃତୀୟ ମ୍ୟାଚ୍ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ, ପରାଜୟ ଧାରା ଭାଙ୍ଗିଲା ପଞ୍ଜାବ କିଙ୍ଗ୍‌ସ

ଚେନ୍ନାଇ : ଚଳିତ ଆଇପିଏଲ୍‌ର ସପ୍ତଦଶ ମ୍ୟାଚ୍‌ଟି ଶୁକ୍ରବାର ଏଠାକାର ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବେଳେ ଏଥିରେ ପଞ୍ଜାବ କିଙ୍ଗ୍‌ସ ତା\’ର କ୍ରମାଗତ ତୃତୀୟ ପରାଜୟ ପରେ ପ୍ରଥମ ବିଜୟ ହାସଲ କରିଛି । ଦଳ ପରାଜୟ ଧାରା ଭାଙ୍ଗିବା ଫଳରେ ପ୍ରତିପକ୍ଷ ତଥା ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି । ପଞ୍ଜାବ ତା\’ର ଦ୍ୱିତୀୟ ବିଜୟ ସହ ସପ୍ତମରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ମୁମ୍ବାଇ ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମେ ବ୍ୟାଟିଂ କରିବା ସକାଶେ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଲୋକେଶ ରାହୁଲ୍ ଆମନ୍ତ୍ରଣ କରିଥିଲେ । ଦଳର ବୋଲରଙ୍କ ଉପରେ ଭରସା ରଖି ରାହୁଲ୍ ଏପରି ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ ୨୬ ରନ୍ ମଧ୍ୟରେ ଓପନର କ୍ୱିଣ୍ଟନ୍ ଡି\’କକ୍ ଓ ପ୍ରଥମ ଡାଉନ୍‌ରେ ଖେଳିବାକୁ ଆସିଥିବା ଈଶାନ୍ କିଶନ୍‌ଙ୍କୁ ହରାଇଥିଲା । ଡି\’କକ୍ ୩ ଓ କିଶନ୍ ୬ ରନ୍ କରିଥିଲେ । କିନ୍ତୁ ତୃତୀୟ ୱିକେଟ୍ ପାଇଁ ଅଧିନାୟକ ତଥା ଅନ୍ୟତମ ଓପନର ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ୭୯ ରନ୍ ଯୋଡ଼ିବା ଫଳରେ ମୁମ୍ବାଇ ୧୦୦ ରନ୍ ଅତିକ୍ରମ କରିଥିଲା । କିନ୍ତୁ ସୂର୍ଯ୍ୟକୁମାର ୩ଟି ଚୌକା ଓ ଗୋଟିଏ ଛକା ସହ ୩୩ ରନ୍ କରିଥିବା ବେଳେ ରିଭର୍ସ ସୁଇପ୍ ଶଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ । ତାଙ୍କ ପରେ ପରେ ରୋହିତ ମଧ୍ୟ ବିଦାୟ ନେଇଥିଲେ । ସେତେବେଳକୁ ସେ ୫ଟି ଚୌକା ଓ ୨ଟି ଛକା ସହ ୬୩ ରନ୍ କରିଥିଲେ । ଏହାପରେ କେହି ବଡ଼ ସ୍କୋର୍ କରି ନ ପାରିବାରୁ ମୁମ୍ବାଇ ୬ ୱିକେଟ୍‌ରେ ୧୩୧ ରନ୍ କରିଥିଲା । କାଇରନ୍ ପୋଲାର୍ଡ ୧୨ଟି ବଲରେ ଗୋଟିଏ ଛକା ସହ ୧୬ ରନ୍ କରି ଅପରାଜିତ ଥିଲେ । ପଞ୍ଜାବ ପକ୍ଷରୁ ମହମ୍ମଦ ଶମୀ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଏବଂ ଦୀପକ ହୁଡ୍ଡା ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଜବାବରେ ୧୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ପଞ୍ଜାବ ମାତ୍ର ଗୋଟିଏ ୱିକେଟ୍ ହରାଇ ଓ ହାତରେ ୧୬ଟି ବଲ୍ ବାକି ଥିବା ବେଳେ ହାସଲ କରିନେଇଥିଲା । ଅଧିନାୟକ ଲୋକେଶ ରାହୁଲ୍‌ଙ୍କ ସହ ମୟଙ୍କ ଅଗରୱାଲ୍ ଇନିଂସ ଆରମ୍ଭ କରିବା ସହ ପ୍ରଥମ ୱିକେଟରେ ୫୩ ରନ୍ ଯୋଡ଼ିଥିଲେ । ମୟଙ୍କ ୨୦ଟି ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହ ୨୫ ରନ୍‌ରେ ଆଉଟ୍ ହେବା ପରେ ରାହୁଲ୍ ଓ କ୍ରିସ୍ ଗେଲ୍ ଆଉ କୌଣସି ୱିକେଟ୍‌ର ପତନ ଘଟିବାକୁ ଦେଇ ନ ଥିଲେ । ସେମାନେ ଦ୍ୱିତୀୟ ୱିକେଟ୍ ପାଇଁ ଅବିଭାଜିତ ୭୯ ରନ୍ ଯୋଡ଼ି ଦଳକୁ ୧୭.୪ ଓଭର୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ସେତେବେଳକୁ ରାହୁଲ୍ ଚଳିତ ସଂସ୍କରଣରେ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ସହ ୫୨ଟି ବଲ୍ ଖେଳି ୩ଟି ଲେଖାଏଁ ଚୌକା ଓ ଛକା ଜରିଆରେ ୬୦ ରନ୍ କରିଥିଲେ । ସେହିପରି ଗେଲ୍ ୩୫ ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ଜରିଆରେ ୪୩ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ଏକମାତ୍ର ୱିକେଟ୍‌ଟି ସ୍ପିନର୍ ରାହୁଲ୍ ଚହର୍ ଅକ୍ତିଆର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking