ନୂଆଦିଲ୍ଲୀ: ୨ଠ୨୪ ଗଣତନ୍ତ୍ର ଦିବସ ଉତ୍ସବରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ କୌଣସି କାରଣରୁ ଏହି ସମୟରେ ଭାରତ ଆସିପାରିବେନି ବୋଲି କ୍ଷମାପୂର୍ବକ ଜଣାଇଥିଲେ । ୨ଠ୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ବୋଧହୁଏ ପ୍ରଚାର କାର୍ଯ୍ୟ ବ୍ୟସ୍ତତା ଯୋଗୁ ସେ ଭାରତର ନିମନ୍ତ୍ରଣ ରକ୍ଷା କରିପାରିନଥିବା ଅନୁମାନ କରାଯାଉଛି । ତେବେ ବାଇଡେନ୍ଙ୍କ ପକ୍ଷରୁ ନାସ୍ତବାଣୀ ମିଳିବା ପରେ ଭାରତ ସରକାର ଗଣତନ୍ତ୍ର ଦିବସ ପାଇଁ ବନ୍ଧୁ ରାଷ୍ଟ୍ର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି । ରିପୋର୍ଟ ଅନୁସାରେ ଯଦି ମାକ୍ରନ୍, ଭାରତର ଏହି ନିମନ୍ତ୍ରଣ ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ୪୭ ବର୍ଷର ଭାରତୀୟ ଇତିହାସରେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା କ୍ଷେତ୍ରରେ ମାକ୍ରନ୍ ଫ୍ରାନ୍ସର ୬ଷ୍ଠ ନେତା ହେବେ । ତାଙ୍କ ପୂର୍ବରୁ ୧୯୭୬ରେ ଫ୍ରାନ୍ସର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜ୍ୟାକ୍ ଶିରାକ୍, ୧୯୮ଠରେ ବେଲେରି ଗିଲକାର୍ଡ, ୧୯୯୮ରେ ପୁନଃ ଜ୍ୟାକ୍ ଶିରାକ୍, ୨ଠଠ୮ରେ ରାଷ୍ଟ୍ରପତି ନିକୋଲାସ୍ ସର୍କୋଜି, ୨ଠ୧୬ରେ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହୋଲେଣ୍ଡ ପ୍ରମୁଖ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଭାରତ ଆସିସାରିଛନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିମନ୍ତ୍ରଣକ୍ରମେ ଫ୍ରାନ୍ସର ବାଷ୍ଟିଲ୍ ଡେ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୋଦି ଫ୍ରାନ୍ସର ଏହି ପରେଡ୍ରେ ସାମିଲ ହେବା କ୍ଷେତ୍ରରେ ୨ୟ ଭାରତୀୟ ପ୍ରଧାନମନ୍ତ୍ରୀର ମାନ୍ୟତା ହାସଲ କରିଥିଲେ । ଏହି ପରେଡ୍ରେ ଭାରତୀୟ ଯୁଦ୍ଧ ବିମାନ ରାଫେଲ୍ ମଧ୍ୟ ଉଡାଣ ଭରିଥିଲା । ଏତଦ୍ବ୍ୟତୀତ ଭାରତର ୩ ସେନାବାହିନୀ ପକ୍ଷରୁ ମାର୍ଚ୍ଚପାଷ୍ଟ କରାଯାଇଥିଲା ଯେଉଁଥିରେ ୨୬୯ ଯବାନ ପରେଡ୍ରେ ଅଂଶଗ୍ରହଣ କରିଥିଲେ ।
ପ୍ରକାଶ, ଭାରତ-ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବର୍ତ୍ତମାନ ସୁଦ୍ଧା ବେଶ୍ ଭଲ ରହିଆସିଛି । ଯେତେବେଳେ ଭାରତ ୧୯୯୮ରେ ପରମାଣୁ ପରୀକ୍ଷଣ କରିଥିଲା ସେତେବେଳେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ଏହାକୁ ନେଇ ଆପତ୍ତି ଉଠାଇଥିଲେ । କିନ୍ତୁ ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଜ୍ୟାକ୍ ଶିରାକ୍ କିନ୍ତୁ ଭାରତକୁ ସମର୍ଥନ କରିଥିଲେ । ଏପରିକି ନ୍ୟୁକ୍ଲିଅର ପ୍ଲାଣ୍ଟ ସ୍ଥାପନା କ୍ଷେତ୍ରରେ ମଧ୍ୟ ଫ୍ରାନ୍ସ ଭାରତକୁ ସାହାଯ୍ୟ ସହଯୋଗ କରିଥିଲା । ରୁଷ୍ ପରେ ଫ୍ରାନ୍ସ ଏପରି ଏକମାତ୍ର ଦେଶ ଯାହାକି ଭାରତକୁ ପରମାଣୁ ଶକ୍ତି ତଥା କ୍ଷମତା ବୃଦ୍ଧି କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଦେଇଥିଲେ । ମହାରାଷ୍ଟ୍ରର ଜୈନପୁରରେ ଥିବା ପରମାଣୁ ପ୍ଲାଣ୍ଟ ଫ୍ରାନ୍ସର ସହାୟତାରେ ହିଁ ପ୍ରତିଷ୍ଠା ହୋଇପାରିଥିଲା । ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ବିଧ୍ୱଂସକାରୀ ଯୁଦ୍ଧ ବିମାନ ରାଫେଲ୍ ମଧ୍ୟ ଫ୍ରାନ୍ସ ଠାରୁ ହିଁ ଭାରତ କ୍ରୟ କରିଛି । ଫ୍ରାନ୍ସ ମଧ୍ୟ ଭାରତ ସହ ସବୁ କ୍ଷେତ୍ରରେ ନିଜ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଆସୁଛି ।