18.1 C
Bhubaneswar
Friday, December 27, 2024
Homeଓଡିଶାଇନ୍ଫୋସିସର ନୂତନ ବିଜନେସ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର (ବିପିଏମ) ଶାଖା ଉଦଘାଟିତ ସୃଷ୍ଟି ହେବ ନୂତନ...

ଇନ୍ଫୋସିସର ନୂତନ ବିଜନେସ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର (ବିପିଏମ) ଶାଖା ଉଦଘାଟିତ ସୃଷ୍ଟି ହେବ ନୂତନ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଇନଫୋସିସ୍ ବିପିଏମ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଇନଫୋସିସର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ । ଏହି ଶାଖା କମ୍ପାନୀ ଆରମ୍ଭ କରି କଳା ଭିତ୍ତିଭୂମି ସ୍ଥିତି ସୁଦୃଢ କରିବ ଇନଫୋସିସ । ପ୍ରଥମ ପର୍ଯ୍ୟାୟରେ ୫ଶହ ଜଣଙ୍କୁ ନିଯୁକ୍ତି ଦିଆଯିବ । ପର୍ଯ୍ୟାୟ କ୍ରମେ ଏହା ୨ ହଜାର ନିଯୁକ୍ତି ସୁଯୋଗ ଯାଏ ବିସ୍ତାର ହେବାର ସମ୍ଭାବନା ରହିଛି ।  ଏହି କମ୍ପାନୀ ପୂର୍ବ ଭାରତରେ ଇନଫୋସିସର ପ୍ରଥମ ବ୍ୟବସାୟ ପ୍ରକ୍ରିୟା ପରିଚାଳନା ୟୁନିଟ୍ |

ବିଶ୍ବର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନ୍ଫୋସିସର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ (ବିପିଏମ୍) ଶାଖା ଆଜି ଭୁବନେଶ୍ବର ପଟିଆସ୍ଥିତ ଇନ୍ଫୋସିସ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଫାଇବ୍-ଟି (୫-ଟି) ସଚିବ ଭି.କେ ପାଣ୍ଡିଆନ, ଇଲେକଟ୍ରୋନିକ୍ସ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସ୍ବତନ୍ତ୍ର ସଚିବମାନସ ରଞ୍ଜନ ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ଼ ଏବଂ ସ୍ଥିର ଗତିରେ ବିକାଶ କରିଚାଲିଛି । ଏହାଦ୍ବାରା ରାଜ୍ୟର ଏକପ୍ରକାର କାୟାକଳ୍ପ ଘଟିବା ସହ ନବସୃଜନ ଓ ଅଭିନବ ଉଦ୍ୟମିତା ନୀତି ଜରିଆରେ ଗଭୀର ଆତ୍ମବିଶ୍ବାସର ଏକ ନୂଆ ପରିଭାଷା ସୃଷ୍ଟି ହୋଇପାରିଛି । ଇନ୍ଫୋସିସ ଜାତୀୟ ସ୍ତରରେ ବିଶେଷକରି ଓଡ଼ିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି ।

ବିଗତ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ପ୍ରମୁଖ ଆଇ.ଟି. ସେବା ପ୍ରଦାନକାରୀ ସଂସ୍ଥାର ରାଜ୍ୟର ବିକାଶ, ରାଜସ୍ବ ବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ଅବଦାନ ରହିଛି । ମୁଁ ବିଶେଷ ଖୁସି ଯେ ଇନ୍ଫୋସିସ ଏହାର ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ ଓଡ଼ିଶାରେ ଆରମ୍ଭ କରିଛି । ଏହି କେନ୍ଦ୍ରର ସଂପ୍ରସାରଣ ଦ୍ବାରା ଆମ ଯୁବପିଢ଼ିମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆମ ପିଲାମାନେ ଏହି କେନ୍ଦ୍ରକୁ ଦେଶର ସର୍ବଶ୍ରେଷ୍ଠ ସେବା କେନ୍ଦ୍ରରେ ପରିଣତ କରିବାରେ ସଫଳ ହେବେ ବୋଲି  ଦୃଢ଼ ନିଶ୍ଚିତ । ରାଜ୍ୟ ସରକାର ଏଥ୍‌ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ।

ଏହି ଅବସରରେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା, ଯୁବ-କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା କହିଥିଲେ ଯେ ଓଡ଼ିଶା ଏବେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନ ମାନେ ରାଜ୍ୟ ସରକାରଙ୍କ ନୀତି ନିୟମ ଦ୍ବାରା ଆକୃଷ୍ଟ ହୋଇ ଓଡିଶାରେ ନିଜର ପ୍ରୟୋଗ କେନ୍ଦ୍ର ସ୍ଥାପନା କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ନିଃସନ୍ଦେହ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ଇନ୍ଫୋସିସ ଅଗ୍ରଣୀ ଭୂମିକାରେ ରହିଆସିଛି । ଏହି ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍‌ ରାଜ୍ୟର ଉଚ୍ଚଶିକ୍ଷିତ ଯୁବପିଢ଼ିମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ ।

ଇନ୍ଫୋସିସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ସହକାରୀ ମୁଖ୍ୟ – ସତୀଶ ଏଚ୍.ସି. ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସହଯୋଗର ଭୂରିଭୁରି ପ୍ରଶଂସା କରିଥିଲେ । ବର୍ତ୍ତମାନ ଇନ୍ଫୋସିସ୍ ଭୁବନେଶ୍ବରରେ ପାଖାପାଖି ୧୦,୦୦୦ କର୍ମଚାରୀ କାର୍ଯ୍ୟରତ  । ଆଗାମୀ ଭବିଷ୍ୟତରେ ଏହି କ୍ଷମତାକୁ ୨୦, ୦୦୦କୁ ବୃଦ୍ଧି କରାଯିବାର ଯୋଜନା ରହିଛି  । ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି କ୍ଷେତ୍ରରେ ଏହି ନୂତନ କେନ୍ଦ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ।

ଏହାଦ୍ବାରା ଓଡ଼ିଶାର ଶିକ୍ଷିତ ଯୁବପିଢ଼ିମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ । ବି.ପି.ଏମ୍. ସେବାକେନ୍ଦ୍ର ମୁଖ୍ୟ, ଉପାଧ୍ୟକ୍ଷ ପ୍ରଭାତ କୁମାର ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବି.ପି.ଏମ୍. ସେବା ବ୍ୟବସାୟ ମୁଖ୍ୟ, ଉପାଧ୍ୟକ୍ଷ ନୀଲ୍ ମୋହନ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking