ଭୁବନେଶ୍ୱର: ଅନ୍ୟ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ବଢୁଥିବା କାରଣରୁ ଆମ ଦେଶ ପାଇଁ ବି ଏହା ଚିନ୍ତାର କାରଣ ସାଜିଛି। ଆମ ଦେଶରେ ପୁଣି ଥରେ କରୋନା ତା’ର କାୟାବିସ୍ତାର କରିବା ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ଦେଶର ବି କିଛି ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲାଣି । ଆମ ରାଜ୍ୟରେ ମଧ୍ୟ ବଢ଼ିବା ସମ୍ଭାବନା ରହିଛି । ତେଣୁ ତାର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଡ. ମହାପାତ୍ର କହିଛନ୍ତି ଯେ କୋଭିଡ୍ ଓମିକ୍ରନ୍ର ସବ୍ ଭାରିଏଣ୍ଟ ବିଏଫ୍-୭ ଏବେ ପୃଥିବୀର ବିଭିନ୍ନ ଦେଶ ଯଥା ଚୀନ୍, ଜାପାନ, ୟୁଏସ୍ଏ, ବ୍ରାଜିଲ୍, କୋରିଆରେ କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହି ପ୍ରଜାତି ଚିହ୍ନଟ ହେବା ଅତି ଉଦ୍ବେଗର ବିଷୟ । କିଛି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ ।
ବରଂ ତା’ ସହ ଯୁଦ୍ଧ କରିବା ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ଯେଉଁ ପରାମର୍ଶ ଦିଆଯାଇଛି ତାକୁ ମାନି ଚଳିବାକୁ ହେବ । ସରକାରଙ୍କ ପକ୍ଷରୁ ସର୍ଭିଲାନ୍ସ ଜାରି ରହିଛି । ହସ୍ପିଟାଲରେ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି । ଦରକାର ପଡ଼ିଲେ ବେଡ଼ ସଂଖ୍ୟା ଆହୁରି ବୃଦ୍ଧି କରାଯିବ । ଟେଷ୍ଟିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । ସରକାର ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ ରାଜ୍ୟରେ ପଜିଟିଭ ହାର ଖୁମ୍ କମ୍ ଅଛି । ହେଲେ ଏହା ଉପରେ ନଜର ରଖାଯାଇଛି । ପଜିଟିଭିଟି ସାଙ୍ଗକୁ ମେଡିକାଲରେ ଭର୍ତ୍ତି ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ଉପରେ ବି କଡ଼ା ନଜର ରହିଛି । ସବୁ ଜିଲ୍ଲା ହସ୍ପିଟାଲରେ ଆଇସୋଲେଟେଡ ବେଡ ରହିଛି । ସରକାର ପୂର୍ବରୁ ୩ଟି ଲହରର ମୁକାବିଲା ସଫଳତାର ସହ କରିଥିବା ବେଳେ ଚତୁର୍ଥ ଲହରର ମୁକାବିଲା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।