19.1 C
Bhubaneswar
Monday, November 18, 2024
Homeସଞ୍ଜିବନୀସାହିତ୍ୟ ଦର୍ଶନ ଜ୍ଞାନରେ ଆଦିଭୂମି

ସାହିତ୍ୟ ଦର୍ଶନ ଜ୍ଞାନରେ ଆଦିଭୂମି

ବିଶ୍ୱ ମନୀଷାକୁ ଭାରତବର୍ଷର ଅବଦାନ ବିପୁଳ ଓ ବିବିଧ। ଜ୍ଞାନ, ବିଜ୍ଞାନ, ଗଣିତ, ଦର୍ଶନ, କ୍ରୀଡ଼ା, କୌତୁକ ଠାରୁ ଆରମ୍ଭ କରି ଗଣତନ୍ତ୍ର, ଗଣରାଜ୍ୟ, କାବ୍ୟ, ମହାକାବ୍ୟ ଓ କଥା, କାହାଣୀ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ଭାରତ କାବ୍ୟ ସାହିତ୍ୟର ଆଦିଭୂମି କେବଳ ନୁହେଁ, କଥା କାହାଣୀର ଆଦି ଉତ୍ସ ମଧ୍ୟ। ଉଭୟ ମୌଖିକ ଓ ଲିଖିତ କାହାଣୀର ଜନ୍ମ ଭାରତର ମହତୀ ମାଟିରେ।

କାହିଁ କେଉଁ ଆବହମାନ କାଳରୁ ଲୋକ କାହାଣୀ ପ୍ରଚଳିତ ଭାରତବର୍ଷରେ। ଜହ୍ନ ଆଲୁଅ ଓ ମୃଦୁ ମଳୟ ମିଶ୍ରିତ ସଂଜ ବୁଢ଼ୀମା’ ଗପରେ ହୁଏ ଉତ୍ତାଳ। କଥା ଲମ୍ବେ ବୁଢ଼ୀ ଅସୁରୁଣୀ ଠାରୁ ସାହାଡ଼ା ସୁନ୍ଦରୀ ପର୍ଯ୍ୟନ୍ତ। ଉପନିଷଦ, ରାମାୟଣ, ମହାଭାରତ, ଅନ୍ୟାନ୍ୟ ପୁରାଣ କଥା, ଜାତକ କଥା ଓ ଓଡ଼ିଆ ଅବୋଲକରା କାହାଣୀ ଲିପିବଦ୍ଧ ହୋଇଥିଲେ ମଧ୍ୟ ତା’ର ପ୍ରସାର ତୁଣ୍ଡ ବାଇଦ ମାଧ୍ୟମରେ ହିଁ ସମ୍ଭବ ହୋଇଥିଲା। ସାଧୁସନ୍ଥ କଥିତ କାହାଣୀ ମଧ୍ୟ ମୁଖ୍ୟତଃ ମୌଖିକ। ଏହିସବୁ ମୌଖିକ କାହାଣୀ ଭାରତବର୍ଷର ମୌଳିକ ସର୍ଜନଶୀଳତାର ନିଦର୍ଶନ।

ଲିଖିତ କାହାଣୀର ଆରମ୍ଭ ମଧ୍ୟ ଏହି ମାଟିରୁ। ବିଷ୍ଣୁଶର୍ମାଙ୍କ ‘ପଞ୍ଚତନ୍ତ୍ର’ ପୃଥିବୀର ପ୍ରଥମ କଳ୍ପକଥା (ଫେବଲ୍‌ସ) ଭାବରେ ସ୍ୱୀକୃତ। ଖୁବ୍ ସମ୍ଭବତଃ ତୃତୀୟ ଖ୍ରୀଷ୍ଟାବ୍ଦର କଥା। ଦାକ୍ଷିଣାତ୍ୟରେ ‘ମହିଳାରୂପ୍ୟ’ ନାମରେ ଥିଲା ଏକ ରାଜ୍ୟ ଯହିଁ ଶାସନ କରୁଥିଲେ ଅମର ଶକ୍ତି ନାମଧାରୀ ରାଜନ। ତାଙ୍କର ତିନିଜଣ ପୁଅ ଥିଲେ ଶାଠ ଶିରୋମଣି, ସେମାନଙ୍କ ପାଠଘର ଥିଲା ଶୂନ। ଚିନ୍ତିତ ରାଜା ସାରା ଭାରତକୁ ଉତ୍ତମ ଶିକ୍ଷକ ଯୋଗାଡ଼ କରିବା ପାଇଁ ଦୂତ ପ୍ରେରଣ କଲେ। ଉତ୍କଳ ନିବାସୀ ବିଷ୍ଣୁଶର୍ମା କେବଳ ରାଜି ହେଲେ ଏହି ଚପଳମତି ତିନି ରାଜପୁତ୍ରଙ୍କୁ ଶିକ୍ଷା ଦେବାପାଇଁ। ବିଷ୍ଣୁଶର୍ମା ଜାଣିଥିଲେ ପାଠ ପ୍ରଶ୍ନ ଉଠାଇଲେ କୁମାରମାନେ କୁଣ୍ଠିତ ହେବେ। ତେଣୁ ସେ ଗପ କହିଲେ, ‘ଅସ୍ତି ଗୋଦାବରୀ ତୀରେ ବିଶାଳ ଶାଳ୍ମଳୀ ତରୁ…’। ଏହି କାହାଣୀ ସମୂହ କୁମାରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲେ ବି ପ୍ରକାରାନ୍ତରେ ଅଭିପ୍ରେତ ଥିଲା ଭାରତବାସୀଙ୍କ ପାଇଁ, ବିଶ୍ୱବାସୀଙ୍କ ପାଇଁ ମଧ୍ୟ।

ପାଞ୍ଚ ଭାଗରେ ବିଭକ୍ତ ହୋଇଥିବାରୁ ବିଷ୍ଣୁଶର୍ମାଙ୍କ କଳ୍ପକଥା ସଂଗ୍ରହର ନାମ ପଞ୍ଚତନ୍ତ୍ର- ମିତ୍ରଭେଦ, ମିତ୍ରଲାଭ, କାକୋଲୁକିୟମ୍‌, ଲବ୍‌ଧ ପ୍ରଣାଶ ଓ ଅପରୀକ୍ଷିତକାରକ। ଅମୂଲ୍ୟ ରତ୍ନ ମାଳାକୁ ହଜାଇଦେବା ଭାରତବାସୀଙ୍କର ବୋଧହୁଏ ଏକ ବଦ୍‌ସ୍ୱଭାବ। ଶର୍ମାଙ୍କ ଅବଲୁପ୍ତ ମୂଳ ଲେଖା ପଲ୍ଲବୀ ଭାଷାକୁ ବର୍ଜୋ ନାମକ ବୈଦ୍ୟ ଅନୁବାଦ କରିଥିଲେ। ଏହା ଷଷ୍ଠ ଶତାବ୍ଦୀର କଥା। ଅଷ୍ଟମ ଶତାବ୍ଦୀରେ ସିରିଆନ୍ ଅନୁବାଦରୁ ଅବଦୁଲ୍ଲା ମୋଗାଫା ଏହାକୁ ଆରବ ଭାଷାରେ ରୂପାନ୍ତରିତ କରିଥିଲେ। ଆରବରୁ ଏହା ପଶ୍ଚିମ ଦିଗନ୍ତକୁ ବ୍ୟାପି ଥିଲା। ଏହି କାହାଣୀ ପୃଥିବୀର ଅନେକ ସଭ୍ୟ ରାଷ୍ଟ୍ରର ଗୁମ୍ଫାଗୁଡ଼ିକରେ ଖୋଦିତ। ବିଖ୍ୟାତ ପାଶ୍ଚାତ୍ୟ ଗବେଷକ ହାର୍ଟେଲଙ୍କ ଭାଷାରେ, ‘ଏହା କେବଳ ପ୍ରାଚୀନତମ ସୁନ୍ଦର ହିନ୍ଦୁ କଥା ସାହିତ୍ୟ ନୁହେଁ, ବିଶ୍ୱ ସାହିତ୍ୟକୁ ପ୍ରଭାବିତ କରିଥିବା ଭାରତୀୟ ଗ୍ରନ୍ଥମାନଙ୍କ ଭିତରେ ଅଗ୍ରଗଣ୍ୟ।’

ଷଷ୍ଠ ଶତାବ୍ଦୀରେ ଦକ୍ଷିଣ ଭାରତର ସାତବାହନ ରାଜାମାନେ ଶାସନ କରୁଥିଲେ। ‘ପ୍ରତିଷ୍ଠାନ’ ନାମକ ରାଜ୍ୟରେ ରାଜୁତି କରୁଥିବା ରାଜାଙ୍କୁ ସଂସ୍କୃତ ଜଣା ନ ଥିଲା। ତାଙ୍କ ଦରବାରର ସଂସ୍କୃତ ପଣ୍ଡିତ ଗୁଣାଢ୍ୟଙ୍କ ଠାରୁ ରାଜା ସଂସ୍କୃତ ଶିକ୍ଷା କରିବାକୁ ଚାହିଁଲେ, ତାହା ପୁଣି ମାତ୍ର ଛଅ ମାସ ମଧ୍ୟରେ। ଗୁଣାଢ଼୍ୟ ଏଥିରେ ଅସହମତି କେବଳ ପ୍ରକାଶ କଲେ ନାହିଁ, ଛଅ ମାସ ମଧ୍ୟରେ ରାଜା ସଂସ୍କୃତ ଶିଖି ପାରିଲେ, ସେ ରାଜ୍ୟ ଛାଡ଼ି ଚାଲିଯିବେ ବୋଲି କହିଲେ। ରାଜା ସତକୁ ସତ ଜଣେ ପଣ୍ଡିତଙ୍କ ଠାରୁ ଛଅ ମାସ ମଧ୍ୟରେ ସଂସ୍କୃତ ଶିଖିଗଲେ ଏବଂ ଗୁଣାଢ଼୍ୟ ରାଜ୍ୟ ଛାଡ଼ି ଚାଲିଗଲେ। ସାରାଭାରତ କେବଳ ପର୍ଯ୍ୟଟକ ଭାବରେ ନ ଭ୍ରମି ସେ ଭାରତୀୟ ଜନଜୀବନକୁ ବିଶ୍ଳେଷଣ କଲେ ଏବଂ କଥା କାହାଣୀ ସଂଗ୍ରହ କରିବାରେ ଲାଗିଲେ। ଜୀବନର ଅପରାହ୍‌ଣରେ ସ୍ୱରାଜ୍ୟକୁ ବାହୁଡ଼ି ରାଜାରାଣୀଙ୍କୁ କାହାଣୀ ଶୁଣାଇବାକୁ ଆଗ୍ରହ ପ୍ରକାଶ କରନ୍ତେ ରାଜାରାଣୀ କାହାଣୀଗୁଡ଼ିକୁ ମନ ଧ୍ୟାନ ଦେଇ ଅଳ୍ପ କେତେ ଦିନ ପାଇଁ ଶୁଣିଲେ। ପରେ ପରେ କାହାଣୀ କଥନ ବନ୍ଦ ହେଲା। ସ୍ୱାଭିମାନୀ ଗୁଣାଢ଼୍ୟଙ୍କ ହୃଦୟ ଯେମିତି ବିଦୀର୍ଣ୍ଣ ହୋଇଗଲା। ଦିନେ ଅଦୂରବର୍ତ୍ତୀ ଜଙ୍ଗଲ ମୁଲକର ଏକ ପାହାଡ଼ ଶିଖରକୁ ଯାଇ ସେ ତାଙ୍କ ପୋଥିରେ ଅଗ୍ନି ସଂଯୋଗ କଲେ। ରାଜା ଖବର ପାଇ ସେଠାରେ ପହଞ୍ଚିଲା ବେଳକୁ ଗୁଣାଢ଼୍ୟଙ୍କ ‘ବୃହତ୍‌ କଥା’ର ବୃହଦାଂଶ ଭସ୍ମ ହୋଇ ସାରିଥିଲା।

ସପ୍ତମ ଶତାବ୍ଦୀର ବୟାକରଣିକ ଓ କଥାଶିଳ୍ପୀ ଦଣ୍ଡୀଙ୍କ ‘ଦଶକୁମାର ଚରିତ’ ଭାରତୀୟ ଲିଖିତ କାହାଣୀ ପରଂପରାର ଅନ୍ୟ ଏକ କୀର୍ତ୍ତିସ୍ତମ୍ଭ। ଦଶ ଜଣ ରାଜକୁମାରଙ୍କ ପ୍ରେମ, ପ୍ରଣୟ, ବିରହ ଓ ବିପ୍ରଲମ୍ଭ ସମ୍ବଳିତ ଏହି ଗଳ୍ପଗୁଡ଼ିକ ବେଶ୍ ଲୋକପ୍ରିୟ। ଦଣ୍ଡୀ ପୁଣି ଥିଲେ ତାଙ୍କ ପୂର୍ବସୂରି ଗୁଣାଢ଼୍ୟଙ୍କର ଜଣେ ଉଚ୍ଚ ପ୍ରଶଂସକ ଓ ଚିହ୍ନରା ଗ୍ରାହକ। ଏଠାରେ ଉଲ୍ଲେଖନୀୟ ଯେ ‘ବୃହତ୍ କଥା’ ସଂସ୍କୃତରେ ନୁହେଁ ଅଣସଂସ୍କୃତ ‘ପିଶାଚ’ ଭାଷାରେ ଲିଖିତ। ଅଗ୍ନି ମୁଖରୁ ବର୍ତ୍ତି ଯାଇଥିବା ‘ବୃହତ୍ କଥା’ର କିୟଦଂଶ ‘କଥା ସରିତ ସାଗର’ ନାମରେ ସୁପ୍ରସିଦ୍ଧ। ଏହା ପୃଥିବୀରେ ବିଧିବଦ୍ଧ ଭାବରେ ସଂକଳିତ ପ୍ରଥମ ‘କାହାଣୀମାଳା’। କାଶ୍ମୀରର ରାଜା ଅନନ୍ତଙ୍କ ଆଗ୍ରହ କ୍ରମେ ସୋମଦେବ ବୃହତ୍ କଥାର ଅଂଶ ବିଶେଷକୁ ସଂସ୍କୃତରେ ରଚନା କରିଥିଲେ। ଏହା ଏକାଦଶ ଶତାବ୍ଦୀର କଥା। ପଞ୍ଚତନ୍ତ୍ର ନୀତି ଶିକ୍ଷାମୂଳକ କାହାଣୀ ହୋଇଥିବା ବେଳେ ‘ଦଶ କୁମାର ଚରିତ’ ରୋମାଣ୍ଟିକ୍ କାହାଣୀ ଭାବରେ ସୁପରିଚିତ। ଏବଂ ‘କଥା ସରିତ ସାଗର’ ଜନଜୀବନର ବାସ୍ତବ ଛବିରେ ଛବିଳ ଏକ କାଳଜୟୀ କାହାଣୀ ସଂଗ୍ରହ। ଭାରତ ଛଡ଼ା ଅନ୍ୟ ଯେଉଁ ଭୂଖଣ୍ଡ ପରବର୍ତ୍ତୀ କାଳରେ କାହାଣୀ ମଗ୍ନ ହୋଇଥିଲା, ତାହା ଆରବ ନିଶ୍ଚୟ, ଯାହାର ସାକ୍ଷୀ ଚିତ୍ତାକର୍ଷକ ‘ଆରବ୍ୟ ରଜନୀ’ କାହାଣୀ ସମଗ୍ର। କାହାଣୀ ଏକ ନିରବଚ୍ଛିନ୍ନ ପ୍ରବହମାନତା ଯାହା କାଳେ କାଳେ ପ୍ରାସଙ୍ଗିକ। ସମ କାଳରେ କାହାଣୀର ସ୍ଥାନ ନେଇଛି କ୍ଷୁଦ୍ର ଗଳ୍ପ। କିନ୍ତୁ କ୍ଷୁଦ୍ର ଗଳ୍ପର ଆତ୍ମା ଯେ କାହାଣୀ, ଏହା କ’ଣ ବିତର୍କର ଅପେକ୍ଷା ରଖେ? ନା। କାହାଣୀ ବିନା କ୍ଷୁଦ୍ର ଗଳ୍ପ ‘ସମ୍ବାଦ’ ବା ‘ବିବୃତି’ ଛଡ଼ା ଅନ୍ୟ କିଛି ନୁହେଁ। ଏହି ଲେଖକ ଏ ଦିଗରେ ଆଉ ପାଦେ ଆଗକୁ ଯିବା ପାଇଁ ସାହସ ରଖେ: କ୍ଷୁଦ୍ର ଗଳ୍ପ ସାହିତ୍ୟର ଏକ ନୂତନ ବିଭବ ନୁହେଁ, ସୁଦୀର୍ଘ କାହାଣୀ ପରଂପରାର ଅଭିନବ ଅଧ୍ୟାୟ ମାତ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking