ନୂଆଦିଲ୍ଲୀ : ଭାରତର ଅସ୍ତ୍ରଶସ୍ତ୍ର ନିରାପଦ, ସୁରକ୍ଷିତ ଓ ନିର୍ଭରଶୀଳ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ସେ କହିଛନ୍ତି ଯେ, ଦେଶର ଅସ୍ତ୍ରଶସ୍ତ୍ରଗୁଡ଼ିକର ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ସଂସଦର ଉଭୟ ଗୃହରେ ଶ୍ରୀ ସିଂ କହିଛନ୍ତି, ଗତ ସପ୍ତାହରେ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ୍ର ପାକିସ୍ତାନରେ ପଡ଼ିଥିଲା । କିନ୍ତୁ ଦେଶର ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ ବୋଲି ସେ କହିଛନ୍ତି । ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା କରାଯାଉଛି ବୋଲି ରାଜନାଥ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସଶସ୍ତ୍ର ବାହିନୀ ଯବାନମାନେ ଉନ୍ନତ ତାଲିମ ନେଇଛନ୍ତି ଓ ସର୍ବଦା ଶୃଙ୍ଖଳିତ ରହିଛନ୍ତି । ସେମାନଙ୍କର ଏହିସବୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ଯଥେଷ୍ଟ ଅଭିଜ୍ଞତା ରହିଛି । ଶ୍ରୀ ସିଂ କହିଛନ୍ତି, ଏଭଳି ଅସ୍ତ୍ରଶସ୍ତ୍ରଗୁଡ଼ିକର ବ୍ୟବହାର, ରକ୍ଷଣାବେକ୍ଷଣ ଓ ତଦାରଖ ବ୍ୟବସ୍ଥାର ନିୟମିତ ସମୀକ୍ଷା କରାଯାଉଛି । କୌଣସି ତ୍ରୁଟି ପରିଲକ୍ଷିତ ହେବା ମାତ୍ରେ ତାହା ସୁଧାରି ନିଆଯାଉଛି । ତେବେ ପାକିସ୍ତାନରେ ଏକ କ୍ଷେପଣାସ୍ତ୍ର ପଡ଼ିବା ଘଟଣା ନେଇ ଶ୍ରୀ ସିଂ ଦୁଃଖ ପ୍ରକାଶ କରିଛନ୍ତି । ସେହି କ୍ଷେପଣାସ୍ତ୍ର ଯୋଗୁଁ କୌଣସି କ୍ଷୟକ୍ଷତି ଘଟିନାହିଁ । ଏ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।