30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶକାନାଡା ନାଗରିକଙ୍କୁ ଭାରତୀୟ ଭିସା ପ୍ରସଙ୍ଗ; ୯ କ୍ୟାଟେଗୋରୀ ପାଇଁ କଟକଣା ବଳବତ୍ତର

କାନାଡା ନାଗରିକଙ୍କୁ ଭାରତୀୟ ଭିସା ପ୍ରସଙ୍ଗ; ୯ କ୍ୟାଟେଗୋରୀ ପାଇଁ କଟକଣା ବଳବତ୍ତର

ଅଟାୱା: ଖଲିସ୍ତାନ ଆନ୍ଦୋଳନକୁ ନେଇ କାନାଡା ଓ ଭାରତ ସମ୍ପର୍କରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାର କାନାଡା ନାଗରିକଙ୍କ ଭାରତୀୟ ଭିସା ଉପରେ ଲାଗୁ କରାଯାଇଥିବା କଟକଣାକୁ କିଛିମାତ୍ରାରେ କୋହଳ କରିଛନ୍ତି । ସେପ୍ଟେମ୍ବର ୨୧ରୁ କାନାଡା ନାଗରିକଙ୍କ ପାଇଁ ଭାରତୀୟ ଭିସାକୁ ସମ୍ପୂର୍ଣ୍ଣଭାବେ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଅଟାୱାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କାନାଡା ନାଗରିକଙ୍କୁ କେବଳ ଚାରିଟି କ୍ୟାଟେଗୋରୀରେ ଭିସା ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଛି ।

ଏଣ୍ଟ୍ରି, ବିଜିନେସ୍‌, ମେଡିକାଲ ଏବଂ କନ୍‌ଫରେନ୍ସ କ୍ୟାଟେଗୋରୀରେ ଭିସା ପ୍ରଦାନ କରାଯାଉଥିବାବେଳେ ଟୁରିଷ୍ଟ, ଏମ୍ପ୍ଲମେଣ୍ଟ, ଷ୍ଟୁଡେଣ୍ଟ, ଫିଲ୍‌ମ, ମିଶନାରୀ, ଜର୍ଣ୍ଣାଲିଷ୍ଟ ଭଳି ଅନ୍ୟ ୯ଟି କ୍ୟାଟେଗୋରୀରେ କାନାଡା ନାଗରିକଙ୍କୁ ଭାରତୀୟ ଭିସା ପ୍ରଦାନ କରାଯିବ ନାହିଁ ବୋଲି ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅକ୍ଟୋବର ୨୫ରୁ ଉପରୋକ୍ତ ଚାରିଟି କ୍ୟାଟେଗୋରୀରେ ଭିସା ପ୍ରଦାନ କରାଯାଉଛି ବୋଲି କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମା ସୂଚନା ଦେଇଛନ୍ତି । ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ସମୀକ୍ଷା କରାଯିବାପରେ ଭିସା ପ୍ରଦାନରେ କଟକଣା କୋହଳ କରାଯାଇଥିବା ସେ କହିଛନ୍ତି । ଆଗାମୀ ଦିନରେ ପୁଣି ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗକୁ ସମୀକ୍ଷା କରାଯିବାପରେ ସାନି ନିଷ୍ପତ୍ତି ନିଆଯିବ ବୋଲି ବର୍ମା ଜଣାଇଛନ୍ତି । ସୂଚନାଯୋଗ୍ୟ ୧୬୫ ରାଷ୍ଟ୍ରର ନାଗରିକଙ୍କ ପାଇଁ ଭାରତ ସରକାର ଇ-ଭିସା ବ୍ୟବସ୍ଥା କରିଥିବାବେଳେ କାନାଡା କିନ୍ତୁ ଏହି ତାଲିକାରେ ସ୍ଥାନ ପାଇନାହିଁ । ତଥାପି କୋଭିଡ୍ ପରେ ଭାରତ ସରକାର ଗତବର୍ଷ ଡିସେମ୍ବରରେ କାନାଡା ନାଗରିକଙ୍କ ପାଇଁ ଇ-ଭିସାର ବନ୍ଦୋବସ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୮ରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ଏକ ବିବାଦୀୟ ମନ୍ତବ୍ୟ ଯୋଗୁଁ କାନାଡା-ଭାରତ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଗତବର୍ଷ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାରେ ଭାରତୀୟ କୂଟନୀତିଜ୍ଞଙ୍କ ସଂପୃକ୍ତି ରହିଛି ବୋଲି ଟ୍ରୁଡୁ କାନାଡା ପାର୍ଲାମେଣ୍ଟରେ ବୟାନ ଦେଇଥିଲେ । ଏହାକୁ ନେଇ ଭାରତ ସରକାର ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ ସରକାର ନୂଆଦିଲ୍ଲୀ ଓ ଅଟାୱାସ୍ଥିତ ଦୂତାବାସରୁ ଏକାଧିକ କୂଟନୀତିଜ୍ଞଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତମାସ ପ୍ରାରମ୍ଭରେ ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ନୂଆଦିଲ୍ଲୀସ୍ଥିତ କାନାଡା ଦୂତାବାସରୁ ୪୧ ଜଣ କୂଟନୀତିଜ୍ଞଙ୍କୁ ସ୍ୱଦେଶ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ସତ୍ତ୍ୱେ ଯଦି ଏମାନେ କାନାଡା ନ ଫେରନ୍ତି, ତେବେ ସେମାନଙ୍କୁ କୂଟନୈତିକ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବ ବୋଲି ଭାରତ ସରକାର ଚେତାବନୀ ମଧ୍ୟ ଦେଇଥିଲେ । ଭାରତ ସରକାର ଏଭଳି ନିଷ୍ପତ୍ତିକୁ କାନାଡା ତୀବ୍ର ବିରୋଧ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking