ନୂଆଦିଲ୍ଲୀ : ଆମେରିକାରେ ପୁଣିଜଣେ ଭାରତୀୟଙ୍କୁ ହତ୍ୟାକାଣ୍ଡର ଶିକାର ହେବାକୁ ପଡିଛି । ତେବେ ଏଥର ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପୀ ବୋଲି ଜଣାପଡିଛି । ମୃତ କଳାକାରଙ୍କ ନାମ ଅମରନାଥ ଘୋଷ ଏବଂ ସେ କୋଲକାତାର ଜଣେ ଚର୍ଚ୍ଚିତ ଭାରତନାଟ୍ୟମ୍ ଓ କୁଚିପୁଡି ନୃତ୍ୟଶିଳ୍ପୀ ଭାବେ ବେଶ୍ ପରିଚିତ । ଏହାକୁ ନେଇ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ, ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ଦୂତାବାସରେ ଅବସ୍ଥାପିତ ରାଷ୍ଟ୍ରଦୂତ ତଥା ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଠାରୁ ଏସମ୍ପର୍କରେ ସହାୟତା ଲୋଡିଛନ୍ତି । ଦେବୋଲିନା କହିଛନ୍ତି, ମୃତ ଅମରନାଥ ଘୋଷ ତାଙ୍କ ନିକଟତମ ବନ୍ଧୁ ଥିଲେ । ତେବେ ସେଣ୍ଟ ଲୁଇସ୍ର ୱାଶିଂଟନ୍ ବିଶ୍ୱବିଦ୍ୟାଳୟରେ ସେ ମାଷ୍ଟର ଅଫ୍ ଫାଇନ୍ ଆର୍ଟସ ପଢ଼ୁଥିôବା ବେଳେ ତାଙ୍କୁ ସେଠାରେ ହତ୍ୟା କରାଯାଇଛି । ତାଙ୍କୁ କିଏ ଓ କାହିଁକି ଗୁଳିକରି ହତ୍ୟା କରିଛି ସେସମ୍ପର୍କରେ ତଦନ୍ତ ହେବା ଉଚିତ୍ ବୋଲି ମଧ୍ୟ ଦେବୋଲିନା ଦାବି କରିଛନ୍ତି । ଏଥିସହ ତାଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ ମଧ୍ୟ ଦେବୋଲିନା ଅନୁରୋଧ କରିଛନ୍ତି ।