ଚେନ୍ନାଇ: ସମଗ୍ର ଭାରତକୁ ମଣିପୁର ଓ ହରିୟାଣା ନ କରାଇ ଦେବା ଲାଗି ‘ଇଣ୍ଡିଆ’ ମେଣ୍ଟକୁ ଜିଣିବାକୁ ପଡ଼ିବ ବୋଲି ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ‘ଡିଏମ୍କେ’ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ତାଙ୍କ ‘ପଡ୍କାଷ୍ଟ୍ ସିରିଜ୍’ର ପ୍ରଥମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି।
ଚଳିତ ବର୍ଷ ମେ ମାସରୁ ମଣିପୁରରେ ଆରମ୍ଭ ହୋଇଥିବା ବ୍ୟାପକ ଜନଜାତି ହିଂସାକାଣ୍ଡ ଓ ହରିୟାଣାରେ ଧାର୍ମିକ ଶୋଭାଯାତ୍ରା ସମୟରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ପ୍ରସଙ୍ଗ ଦର୍ଶାଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଭାଙ୍ଗି ସେମାନଙ୍କ ବନ୍ଧୁତା ଥିବା ‘କର୍ପୋରେସନ୍’କୁ ହସ୍ତାନ୍ତର କରୁଥିବା ଭଳି ଘଟଣାକୁ ଲୁଚାଇବା ପାଇଁ ‘ବିଜେପି’ ସାମ୍ପ୍ରଦାୟିକ ଦଙ୍ଗା କରାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ଏୟାର୍ ଇଣ୍ଡିଆ’କୁ ଘରୋଇ ସେକ୍ଟର୍କୁ ବିକ୍ରି କରାଗଲା, ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରଗୁଡ଼ିକୁ ମଧ୍ୟ ‘ବିଜେପି’ ତା’ର ଘନିଷ୍ଠ ‘କର୍ପୋରେଟ୍’ମାନଙ୍କୁ ହସ୍ତାନ୍ତର କରୁଛି। ତେଣୁ, ବହୁ-ସଂସ୍କୃତି ଓ ବିବିଧତାପୂର୍ଣ୍ଣ ଭାରତ ପାଇଁ କାର୍ଯ୍ୟ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।