ନୂଆଦିଲ୍ଲୀ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ସାମରିକ ଶକ୍ତି ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ଓ ଜାପାନ ବାୟୁସେନା ମିଳିତ ସମରାଭ୍ୟାସ କରିଛନ୍ତି। ବୀର ଗାର୍ଡିଆନ ୨୦୨୩ ନାମରେ ଦୁଇଦେଶ ବାୟୁସେନା ପ୍ରଥମ କରି ସମରାଭ୍ୟାସ କରିଛନ୍ତି। ଜାପାନର ହାୟାକୁରି ବିମାନଘାଟିରେ ଏହି ସମରାଭ୍ୟାସ ଗୁରୁବାର (ଜାନୁଆରୀ ୧୨) ଠାରୁ ଆରମ୍ଭ ହୋଇଛି। ଏହା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମରାଭ୍ୟାସରେ ଭାରତ ବାୟୁସେନାର ୪ଟି ସୁଖୋଇ-୩୦ ଏମକେଆଇ, ଦୁଇଟି ସି-୧୭ ଏବଂ ଗୋଟିଏ ଆଇଏଲ୍-୭୮ ଯୁଦ୍ଧବିମାନ ସାମିଲ ହୋଇଛି। ଅନ୍ୟପଟେ ଜାପାନ ବାୟୁସେନା (ଜାପାନ ଏୟାର ସେଲଫ୍ ଡିଫେନ୍ସ ଫୋର୍ସ) ଏହାର ୪ଟି ଏଫ-୨ ଓ ୪ଟି ଏଫ-୧୫ ଯୁଦ୍ଧବିମାନକୁ ସମରାଭ୍ୟାସରେ ସାମିଲ କରିଛି। ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦୁଇଦେଶ ମଧ୍ୟରେ ରହିଥିବା ପ୍ରତିରକ୍ଷା ସହଯୋଗ ବୁଝାମଣା ଅନୁଯାୟୀ ଏହି ସମରାଭ୍ୟାସ ଆୟୋଜନ କରାଯାଇଛି। ଏହାଦ୍ବାରା ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଆହୁରି ନିବିଡ ହେବ। ଗତବର୍ଷ ସେପ୍ଟେମ୍ବରରେ ଭାରତ ଓ ଜାପାନ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ ୨+୨ କଥାବାର୍ତ୍ତା ହୋଇଥିଲା।