27.1 C
Bhubaneswar
Saturday, December 28, 2024
Homeବିଜିନେସ୍ଭାରତ-ଚୀନ୍ ବାଣିଜ୍ୟ ୧୩୬ ବିଲିୟନ ଡଲାର ଛୁଇଁଛି

ଭାରତ-ଚୀନ୍ ବାଣିଜ୍ୟ ୧୩୬ ବିଲିୟନ ଡଲାର ଛୁଇଁଛି

ବେଜିଂ : ଏସିଆର ଦୁଇ ବୃହତ୍ତମ ରାଷ୍ଟ୍ର ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୨୦୨୨ ସୁଦ୍ଧା ରେକର୍ଡ ୧୩୬ ବିଲିୟନ ଡଲାରରେ ପହଞ୍ଚିଥିବା ଜଣାପଡିଛି । ଅପରପକ୍ଷରେ ଭାରତ-ଚୀନ୍ ମଧ୍ୟରେ ଥିବା ବାଣିଜ୍ୟିକ ନିଅଣ୍ଟ ପ୍ରଥମ ଥର ପାଇଁ ୧୦୦ ବିଲିୟନ ଡଲାର ଟପିଥିବା କୁହାଯାଇଛି । ଚୀନ୍‌ର ବହିଃଶୁଳ୍‌କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଉପରେ ଏହା ଆଧାରିତ । ୨୦୨୧ରେ ବାଣିଜ୍ୟ କାରବାର ୧୨୫ ବିଲିୟନ ଡଲାର ରହିଥିଲା । ୨୦୨୨ରେ ଏହା ୮.୪ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ୨୦୨୨ରେ ଚୀନ୍ ଭାରତକୁ ୧୧୮.୫ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଥିବାବେଳେ ଭାରତରୁ କେବଳ ୧୭.୪୮ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିବା କୁହାଯାଇଛି । ଫଳରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ନିଅଣ୍ଟ ୧୦୧.୦୨ ବିଲିୟନ ଡଲାରରେ ପହଞ୍ଚିଛି । ୨୦୨୧ରେ ବାଣିଜ୍ୟିକ ନିଅଣ୍ଟ ୬୯.୩୮ ବିଲିୟନ ଡଲାର ରହିଥିଲା ।

ପ୍ରଥମ ଥର ବାଣିଜ୍ୟିକ ନିଅଣ୍ଟ ୧୦୦ ବିଲିୟନ ଡଲାର ଅତିକ୍ରମ କରିଥିବାରୁ ଏହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ୨୦୨୧ରେ ଭାରତ ଚୀନ୍‌ରୁ ଅଧିକ ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିବାବେଳେ ଚୀନ୍‌କୁ ଅଧିକ ମୂଲ୍ୟର ସାମଗ୍ରୀ ମଧ୍ୟ ରପ୍ତାନୀ କରିଥିଲା । ୨୦୨୦ ମେ’ରେ ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗିରହିଥିବା ସତ୍ତ୍ୱେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ବଢିବାରେ ଲାଗିଛି । ଚୀନ୍ ନିର୍ମିତ ସାମଗ୍ରୀ ଭାରତରେ ଅଧିକ ବିକ୍ରି ହେଉଥିବାରୁ ଏହା ଦ୍ୱିପାକ୍ଷିକ କାରବାର ବୃଦ୍ଧି କରିବାରେ ସହାୟକ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୫ରୁ ୨୦୨୧ ମଧ୍ୟରେ ଭାରତ-ଚୀନ୍ ବାଣିଜ୍ୟିକ କାରବାର ୭୫.୩୦ ପ୍ରତିଶତ ବୃଦ୍ଧି ପାଇସାରିଛି । ୨୦୨୨ରେ ଚୀନ୍‌ରେ କୋଭିଡ୍‌ର ଆବିର୍ଭାବ ଯୋଗୁଁ ବେଜି, ସାଂଘାଇ ଭଳି ବୃହତ ସହରରେ ଲକ୍‌ଡାଉନ ଓ ଅନ୍ୟ କଟକଣା ଜାରି କରାଯାଇଥିଲା । ଆମେରିକା ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ରରେ ଚୀନ୍ ସାମଗ୍ରୀର ଚାହିଦା ହ୍ରାସ ପାଇଥିବା ସତ୍ତ୍ୱେ ୨୦୨୨ରେ ଚୀନ୍‌ର ବାଣିଜ୍ୟିକ ବଳକା ୮୭୭.୬ ବିଲିୟନ ଡଲାର ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking