ନୂଆଦିଲ୍ଲୀ : ମୁହଁ ଟାଣ ଦେଖାଇଲା ଚୀନ । ଗତକାଲି ଲଦାଖ୍ ଗାଲୱାନ୍ ଭ୍ୟାଲିରେ ଭାରତ –ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହୀଦ ହୋଇଥିଲେ । ଗାଲୱାନ ଭ୍ୟାଲିରେ ଅଞ୍ଚଳଟି ଚୀନର । ଭାରତୀୟ ଯବାନ ସେଠାରେ ବଦମାସୀ କରିଛନ୍ତି । ଅଯଥା ଚୀନ ସୀମା ଭିତରକୁ ଭାରତୀୟ ସେନା ପ୍ରବେଶ କରି ପ୍ରୋଟୋକଲ ଭାଙ୍ଗିଛନ୍ତି । ଯାହା ସବୁ ଘଟିଛି , ତାହା ଚୀନ ସୀମା ଭିତରେ ଘଟିଛି । ଏସବୁ ପାଇଁ ଚୀନକୁ ଅଯଥାରେ ନିନ୍ଦିତ କରାନଯାଉ । ନିଜ ଯବାନମାନଙ୍କୁ ଶୃଙ୍ଖଳାରେ ରହିବାକୁ ଭାରତ କହୁ । ଶୃଙ୍ଖଳାରେ ରହି ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ କରାଯାଉ । ଆମେ ଅଧିକ ସଂଘର୍ଷ ଚାହୁଁନୁ । ଏନେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ ନିଜର ମନ୍ତବ୍ୟ ରଖିଛନ୍ତି ।
ଅନ୍ୟପଟେ ସୀମା ବିବାଦକୁ ନେଇ ଆସନ୍ତା ଜୁନ ମାସ ୧୯ ତାରିଖରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହି ଆଲୋଚନା ଭିଡ଼ିଓ କନଫରେନସିଂ ଜରିଆରେ କରାଯିବ ।
ସୂଚନାନୁଯାୟୀ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ୍ ସେନା ଗତ ରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ । ତେବେ ଅଚାନକ୍ ଚୀନ ସୈନିକମାନେ ଆକ୍ରମଣ ହୋଇ ଉଠିଥିଲେ । ସେମାନେ ପ୍ରଥମେ ଜଣେ କର୍ଣ୍ଣେଲଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ସେନା ବିନା କୌଣସି ଅସ୍ତ୍ରରେ ଚୀନ୍ ସୈନିକଙ୍କ ସହିତ ଲଢ଼ିଥିଲେ ଏବଂ ଏହା ପରେ ଦୁଇ ପକ୍ଷ ମଧ୍ୟରେ କେଇ ଘଣ୍ଟା ଧରି ସଂଘଂର୍ଷ ହୋଇଥିଲା । ଏଥିରେ ଭାରତର ଜଣେ କର୍ଣ୍ଣେଲ ସହିଦ୍ ହୋଇଯାଇଥିଲେ । ଏହି ସଂଘର୍ଷରେ କୌଣସି ପଟୁ ଗୁଳି ଫୁଟିନଥିଲା ଏବଂ ଲୁହାଛଡ଼ ଓ ପଥରକୁ ଅସ୍ତ୍ର କରାଯାଇଥିଲା । ସହିଦ କର୍ଣ୍ଣେଲ ହେଉଛନ୍ତି ୧୬ ବିହାର ରେଜିମେଣ୍ଟ୍ର କମାଣ୍ଡିଂ ଅଫିସର୍ ବି. ସନ୍ତୋଷ ବାବୁ । ମଙ୍ଗଳବାର ସକାଳେ ଭାରତ ପକ୍ଷରୁ ଏହି ସଂଘର୍ଷ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଥିଲା ଯେ ୩ ଜଶ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ସନ୍ଧ୍ୟାରେ କୁହାଯାଇଛି ଯେ, ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଆଉ ୧୭ଜଣ ଯବାନ ପ୍ରାଣ ହରାଇଛନ୍ତି ।