14.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଭାରତ-ବାଂଲାଦେଶ ୭ ଚୁକ୍ତି ସ୍ୱାକ୍ଷରିତ

ଭାରତ-ବାଂଲାଦେଶ ୭ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସଂପ୍ରତି ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ମଙ୍ଗଳବାର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ୭ଟି ରାଜିନାମା ସ୍ୱାକ୍ଷରିତ ହୋଇଛି । ସଂଯୋଗୀକରଣ, ଶକ୍ତି, ଜଳ ସମ୍ପଦ, ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ, ସୀମା ପରିଚାଳନା ଓ ନିରାପତ୍ତା, ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ଏବଂ ଆଞ୍ଚଳିକ ସହଯୋଗ ପ୍ରସଙ୍ଗ ଉପରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ସୂଚନା ଦେଇଛନ୍ତି । ମଙ୍ଗଳବାର ସକାଳେ ହସିନା ରାଜଘାଟ ପରିଦର୍ଶନରେ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସେ ରାଷ୍ଟ୍ରପତି ଭବନ ଯାଇଥିବାବେଳେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଜ୍ଞାପନ କରାଯାଇଥିଲା ।

ହସିନାଙ୍କ ଆଗମନ ପାଇଁ ରାଷ୍ଟ୍ରପତି ଭବନକୁ ସୁସଜ୍ଜିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ହସିିନା ଭାରତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଜଣାପଡିଛି । ଏହାପରେ ହାଇଦ୍ରାବାଦ ହାଉସରେ ଦୁଇପକ୍ଷ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା । ମୋଦୀ ଓ ହସିନା ଯଥାକ୍ରମେ ଭାରତ ଓ ବାଂଲାଦେଶ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ । ଏହି ଅବସରରେ ହସିନା କହିଛନ୍ତି ଯେ ‘ଯେତେବେଳେ ମୁଁ ଭାରତ ଆସେ, ମୋତେ ଅମାପ ଆନନ୍ଦ ମିଳିଥାଏ । କାରଣ ବାଂଲାଦେଶ ସ୍ୱାଧିନତା ସଂଗ୍ରାମରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ସ୍ୱତଃପ୍ରବୃତ୍ତ ମନକୁ ଆସିଥାଏ’ ।

ଦୁଇ ଦେଶ ମଧ୍ୟରେ ଭଲ ବନ୍ଧୁତା ରହିଛି ଏବଂ ପାରସ୍ପରିକ ସହଯୋଗ ଯୋଗୁଁ ଆମର ସମ୍ପର୍କ ଦିନକୁ ଦିନ ସୁଦୃଢ ହେଉଥିବା ସେ କହିଛନ୍ତି । ହସିନା ସୋମବାର ଭାରତରେ ପହଞ୍ଚିବାପରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପରେ ସେ ନିଜାମୁଦ୍ଦିନ ଦରଘା ପରିଦର୍ଶନ କରିଥିଲେ । ୨୦୨୧ରେ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେବାପରେ ହସିନା ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି । ସୂଚନାଯୋଗ୍ୟ ବାଂଲାଦେଶ ସ୍ୱାଧିନତାପ୍ରାପ୍ତିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପାଳିତ ହୋଇଥିବା ‘ମୈତ୍ରୀ ଦିବସ’ରେ ଯୋଗଦେବାକୁ ମୋଦୀ ୨୦୨୧ରେ ବାଂଲାଦେଶ ଗସ୍ତରେ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking