ସାନଖେମୁଣ୍ଡି :ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଜିଉରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ବହୁ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଶନିବାର ସକାଳେ ସ୍କୁଲରେ ପାଠପଢ଼ା ଚାଲିଥିବା ସମୟରେ କିଛି ଛାତ୍ରଛାତ୍ରୀ ମୁଣ୍ଡ ବୁଲାଇ ହେଉଥିବା ଅଭିଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇ ହେବା ଖବର ଗାଁରେ ପହଞ୍ôଚବା ପରେ ସ୍କୁଲ ପରିସରରେ ଅଭିଭାବକଙ୍କ ଭିଡ଼ ଜମିଥିଲା । ସ୍କୁଲ ପରିସରରେ ଅଶାନ୍ତିକର ପରିସ୍ଥିତି ଉପୁଜିଥିଲା । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଓ ଘରୋଇ ଅଟୋ ଯୋଗେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ବାଲ୍ ସୁରକ୍ଷା ଯୋଜନାରେ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ବିତରଣ କରାଯାଇଥିଲା ।
ସ୍ୱାସ୍ଥ୍ୟ ବିଭାଗର ଏଏନ୍ଏମ ଓ ଆଶାକର୍ମୀ ଔଷଧ ବିତରଣ କରିଥିଲେ । ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ବିଭାଗର କୃମି ନାଶକ ଔଷଧ ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ୧୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି । ଏଥିନେଇ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବାହନ ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରାଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଅଛି । ବ୍ଲକ୍ ଶିକ୍ଷାଧିକାରୀ କୁରେସୁ ସେଠୀ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତାହାର ତଦନ୍ତ ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।