ଗଞ୍ଜାମ : ଦିନକୁ ଦିନ ସର୍ପାଘାତର ସଂଖ୍ୟା ବଢିବାରେ ଲାଗିଛି । ଗତ ଅଢେଇ ବର୍ଷ ମଧ୍ୟରେ ସର୍ପାଘାତରେ କେବଳ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷାଦିନ ୩ ମାସ ମଧ୍ୟରେ ଅଧିକ ସାପ କାମୁଡାରେ ଜୀବନ ହେଉଥିବା ଜଣାପଡୁଛି । ଏଥି ମଧ୍ୟରେ ଅଧିକାଂଶ ମହିଳା ଶିକାର ହେଉଛନ୍ତି । ଏମାନଙ୍କ ବିଭିନ୍ନ କାରଣରୁ ଯୋଗୁଁ ମୃତ୍ୟୁ ହୁଏ । ତେବେ ଏହି ଘଟଣାରେ ରୋଗୀଙ୍କୁ ଆଣ୍ଟିଭେନମ୍ ବା ସାପକାମୁଡ଼ା ଇଞ୍ଜକ୍ସନ୍ ତୁରନ୍ତ ଦିଆଯାଏ । ତେବେ ଏହି ଇଞ୍ଜକ୍ସନ୍ ଗଞ୍ଜାମ ଜିଲ୍ଲା ସମସ୍ତ ମେଡ଼ିକାଲରେ ଉପଲବ୍ଧ ନଥାଏ । ରୋଗୀଟିଏ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିବାକୁ ପଡ଼ିଥାଏ । ଏହି ସମୟରେ ଚିକିତ୍ସାଳୟକୁ ଆସୁଥିବାବେଳେ ବାଟରେ ଅନେକ ଗୁରୁତର ରୋଗୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି ।
ସେଥିପାଇଁ ପ୍ରତି ବ୍ଲକରେ ସାପକାମୁଡ଼ାରେ ଜରୁରୀ ଚିକିତ୍ସା ଉପଲବ୍ଧ ନ ଥିବା ଯୋଗୁଁ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଯେକୌଣସି ବ୍ଲକରେ ସର୍ପାଘାତରେ କେହି ଶିକାର ହୁଅନ୍ତି ତେବେ ତାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏମ୍କେସିଜି)କୁ ଆସିଥାନ୍ତି । ବିଭିନ୍ନ ସମୟରେ ଗୁଣି ଗାରେଡ଼ିକୁ ଉପରେ ନିର୍ଭର କରି ଅନେକ ଲୋକ ମେଡିକାଲ ଆସୁନଥିବ ନଜିର କହିଛି । ଯାହା ଫଳରେ ଏଥିରେ ସମୟ ଅତିବାହିତ କରି ମୃତ୍ୟୁ ବରଣ କରିଥାନ୍ତି ଏବଂ ଅନ୍ୟ କେତେ ଜଣ ମେଡିକାଲ ଆସିବା ପୂର୍ବରୁ ବିଳମ୍ବ ହୋଇଯାଇ ଥାଏ । ବଡ଼ ମେଡ଼ିକାଲର ତଥ୍ୟ ବିଭାଗ ସୂଚନା ଅନୁଯାୟୀ ଗତ ୨୦୧୯-୨୦ ବର୍ଷରେ ମୋଟ ୪୯୪ ଜଣ ସର୍ପାଘାତର ଶିକାର ହୋଇ ଚିକିତ୍ସା ନିମନ୍ତେ ଆସିଥିଲେ । ସେଥି ମଧ୍ୟରୁ୧୪ ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ୨୦୨୦-୨୧ ବର୍ଷରେ ୫୩୩ ଜଣ ସର୍ପାଘାତ ନିମନ୍ତେ ଚିକିତ୍ସା ପାଇଁ ଆସିଥିବା ବେଳେ ସେଥି ମଧ୍ୟରୁ ୧୨ ଜଣ ପ୍ରାଣ ହାରିଛନ୍ତି । ଏହା ସହ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୧୭ ଜଣ ସର୍ପାଘାତରେ ଆକ୍ରାନ୍ତ ହୋଇ ଚିକିତ୍ସା ହୋଇଥିଲେ । ସେଥି ମଧ୍ୟରୁ ମୋଟ ୬ ଜନଙ୍କ ମୃତ୍ୟୁ ହୋଇଛି । ଏଭଳି ଭାବରେ ଗତ ୩୧ ମାସ ମଧ୍ୟରେ ୧୩୪୪ ଜଣଙ୍କୁ ସର୍ପାଘାତ କରିଥିବା ବେଳେ ସେଥି ମଧ୍ୟରୁ ମୋଟ ୩୭ ଜଣ ଏମ୍କେସିଜିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଜଣେ ସର୍ପାଘାତରେ ମୃତ ହୋଇଛି କି ନାହିଁ ଜାଣିବା ହେଲେ । ତାହା ଭିସ୍ରା ରିପୋର୍ଟ ଦ୍ୱାରା ଜଣ ପଡ଼ିଥାଏ । କିନ୍ତୁ ଏହା ଏମ୍କେସିଜିରେ ହୁଏ ନାହିଁ । ସର୍ପାଘାତରେ ମୃତ ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗ ଭିସ୍ରା ରିପୋର୍ଟ ନିମନ୍ତେ ଭୁବନେଶ୍ୱରକୁ ପଠାଯାଇଥାଏ । ତା’ପରେ ମାସେ କି ଦୁଇ ମାସ ବ୍ୟବଧାନ ପରେ ରିପୋର୍ଟ ଆସିଥାଏ ।
କିନ୍ତୁ ଅଧିକାଂଶ ସମୟରେ ରିପୋର୍ଟ ନିମନ୍ତେ ୬ ମାସବି ଲାଗିଥାଏ । ଏହା ପରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁର ସଠିକ୍ କାରଣ ଜଣା ପଡ଼ିଥାଏ । ସର୍ପାଘାତରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏ ସଂପର୍କରେ ସଚେତନତାର ଅଭାବ, ପ୍ରମାଣପତ୍ର ଯୋଗାଡ କରିବାରେ ସମସ୍ୟା ଇତ୍ୟାଦି କାରଣରୁ ଅଧିକାଂଶ ପରିବାର ସହାୟତା ରାଶିରୁ ବଞ୍ଚିତ ହେଇଛନ୍ତି । ଏମିତିକି ଅନେକ ବ୍ୟକ୍ତି ପ୍ରମାଣପତ୍ର ପାଇଁ ତହସିଲ୍, ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି ।