ନୂଆଦିଲ୍ଲୀ: ଦେଶରେ କମୁନି ମାତୃ ମୃତ୍ୟୁହାର । ମସ୍ତିଷ୍କରେ ଆଘାତ ଲାଗିବା କାରଣରୁ ୬୦ ପ୍ରତିଶତ ଶିଶୁଙ୍କର ମୃତ୍ୟୁ ହେଉଥିବା ନେଇ ଏକ ଅନୁସନ୍ଧାନରେ ଖୁଲାସା କରାଯାଇଛି । ତେବେ ଏକ ରକ୍ତ ପରୀକ୍ଷା ଦ୍ୱାରା ଏହି ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ, ରକ୍ତ ପରୀକ୍ଷା ଦ୍ୱାରା ଆଘାତ ସହଜରେ ଚିହ୍ନଟ ହେବା ସହିତ ଆଘାତର କାରଣ ମଧ୍ୟ ଜାଣି ହେବ । ତେବେ ଏହି ଆଘାତ ପଛରେ ଅନେକ କାରଣ ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ହେଉଛି ହାଇପକ୍ସିକ୍-ଇସକେମିକ୍ ଏନସେଫାଲୋପାଥି । ଏହା ଦ୍ୱାରା ଶିଶୁଟି ସଠିକ ସମୟରେ ଅମ୍ଳଜାନ ପାଇପାରେ ନାହିଁ । ହାଇପକ୍ସିକ୍-ଇସକେମିକ୍ ଏନସେଫାଲୋପାଥି ସ୍ଥିତିରେ ଜନ୍ମ ହୋଇଥିବା ଶିଶୁଙ୍କୁ ମୃତ୍ୟୁ ଏବଂ ଅକ୍ଷମତା ହେବାର ସମ୍ଭାବନା ଅଧିକ ରହିଥାଏ ।
ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ ୩ ମିଲିୟନ ଶିଶୁ ପ୍ରଭାବିତ ହୋଇଥାଆନ୍ତି । ତେବେ ଲଣ୍ଡନର ଇମ୍ପିରିୟଲ କଲେଜର ଅନୁସନ୍ଧାନକାରୀମାନେ ଏକ ବ୍ଲଡ୍ ଟେଷ୍ଟର ଅନୁସନ୍ଧାନ ପାଇଛନ୍ତି, ଯାହାକି ଆଘାତର କାରଣ ସୂଚାଇପାରେ ଏବଂ ନବଜାତଙ୍କ ଚିକିତ୍ସା ସମ୍ଭବ କି ନୁହେଁ ସେ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥାଏ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଅମ୍ଳଜାନ ଅଭାବ ହେତୁ ମସ୍ତିଷ୍କରେ ଆଘାତ ଘଣ୍ଟାରୁ ମାସ ମାସ ପର୍ଯ୍ୟନ୍ତ ଅଗ୍ରଗତି କରିପାରେ । ଏହା ମସ୍ତିଷ୍କର ବିଭିନ୍ନ ଅଂଶ ଉପରେ ପ୍ରଭାବ ପକାଇପାରେ । ଯାହା ଦ୍ୱାରା ମୁଣ୍ଡବିନ୍ଧା, ଅପସ୍ମାର, ବଧିରତା କିମ୍ବା ଅନ୍ଧତ୍ୱ ଭଳି ବିଭିନ୍ନ ସମ୍ଭାବ୍ୟ ସ୍ନାୟୁବିହୀନତା ସମସ୍ୟା ମଧ୍ୟ ଦେଖା ଦେଇପାରେ । ଏହି ଅନୁସନ୍ଧାନରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଦକ୍ଷିଣ ଏସିଆ ଏବଂ ବିଶେଷ କରି ଭାରତରେ ଏହି ରୋଗର ଭାର ଅଧିକ । ଏହି ଅନୁସନ୍ଧାନ ଜାମା ନେଟୱାର୍କ ଓପନ୍ ପତ୍ରିକାରେ ପ୍ରକାଶିତ ହୋଇଛି । ଏକ ସରଳ ପରୀକ୍ଷା ନବଜାତ ଶିଶୁମାନଙ୍କଠାରେ ମସ୍ତିଷ୍କ ଆଘାତର ଶୀଘ୍ର ନିରାକରଣ ଏବଂ ଚିକିତ୍ସା ନିଷ୍ପତ୍ତିରେ ସାହାଯ୍ୟ କରିପାରିବ ।