34.1 C
Bhubaneswar
Tuesday, March 24, 2026
Homeଓଡିଶା୬ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ

୬ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ

– କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ
– ସୁଭଦ୍ରା ଯୋଜନାରେ ୨.୭୦ ଲକ୍ଷ ଦରଖାସ୍ତ ନାକଚ
– ନୂତନ ବିମାନ ଚଳାଚଳ ନୀତିକୁ ଅନୁମୋଦନ
– ଗ୍ୟାପ୍ ଫଣ୍ଡିଂ ପାଇବେ ଉଡ଼ାଣ ଭରୁଥିବା କମ୍ପାନୀ
– ଜିଏସ୍‌ଟିରେ ୩୪ଟି ବିଷୟରେ ସଂଶୋଧନ

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୪-୨୫ ବିପଣନ ଖରିଫ ବର୍ଷରେ ୫୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବା ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ। ସୁଭଦ୍ରା ଯୋଜନାରେ ୨.୭୦ ଲକ୍ଷ ଦରଖାସ୍ତ ନାକଚ କରିବା ସହ ନୂତନ ବିମାନ ଚଳାଚଳ ନୀତିକୁ ଅନୁମୋଦନ ମିଳିଛି। ଉଡ଼ାଣ ଭରୁଥିବା ସଂପୃକ୍ତ ବିମାନ କମ୍ପାନୀ ଗ୍ୟାପ୍ ଫଣ୍ଡିଂ ପାଇବେ। ସେହିପରି ଜିଏସ୍‌ଟିରେ ୩୪ଟି ବିଷୟରେ ସଂଶୋଧନ ହୋଇଛି। ବୁଧବାର ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହିଭଳି ୬ଟି ପ୍ରସ୍ତାବରେ ମୋହର ଲାଗିଛି। ଏଥିରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୧ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୧ଟି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ଟି ଓ ମହିଳା ଓ ଶିଶୁ ବିକାଶ ବିଭାଗର ୧ଟି ପ୍ରସ୍ତାବ ଅନ୍ତର୍ଭୁକ୍ତ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୪-୨୫ ଖରିଫ ବିପଣନ ବର୍ଷରେ ମୋଟ୍ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ନେଇ ଲକ୍ଷ୍ୟ ରହିଛି। ଅର୍ଥାତ ୫୪ ଲକ୍ଷ ମେଟ୍ରିକ ଟନ୍‌ର ଚାଉଳ ସଂଗ୍ରହ କରାଯିବ। ନଭେମ୍ବର ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ ଏବଂ ରବି ଧାନ ମେ ୨୦୨୫ରୁ ଜୁନ ୨୦୨୫ ମଧ୍ୟରେ ସଂଗ୍ରହ ହେବ। ଉପଗ୍ରହ ମାଧ୍ୟମରେ ପଞ୍ଜିକୃତ ଚାଷ ଜମିର ଯାଞ୍ଚ ହେବ। ଧାନ ବିକ୍ରୟ ପାଇଁ ଆଗୁଆ ସୂଚନା ଦିଆଯିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଗୁରୁତ୍ୱ ଦିଆଯିବ ଏବଂ ଆଧାର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ବନ କରାଯିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ୟୁଣ୍ଟାଲ ପିଛା ୨୩୨୦ରୁ ବୃଦ୍ଧି କରି ୩୧୦୦ ଟଙ୍କା କରାଯାଇଛି। ଫଳରେ ସରକାର ଧାର୍ଯ୍ୟ ସମୟରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବେ। ଏନେଇ କ୍ୟାବିନେଟରେ ଅନୁମୋଦନ ହୋଇଛି। ଫଳରେ ୪ ହଜାରରୁ ଊର୍ଦ୍ଧ୍ୱ ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ। ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ ବୋଲି ଶ୍ରୀ ଆହୁଜା ପ୍ରକାଶ କରିଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ନୂତନ ବିମାନ ଚଳାଚଳ ନୀତିକୁ ଅନୁମୋଦନ ଦେଇଛନ୍ତି। ଏହି ନୀତି ରାଜ୍ୟରେ ବିମାନ ସଂଯୋଗୀକରଣକୁ ଉନ୍ନତ କରିବା ସହ ବିମାନ ସଂସ୍ଥାଗୁଡିକୁ ସୁଲଭ ଆର୍ôଥକ ସହାୟତା ଯୋଗାଇବ। ଏଥିଯୋଗୁଁ ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦର, ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ବ୍ୟତିତ ଜୟପୁର, ରାଉରକେଲା ଓ କଳାହାଣ୍ଡିର ଉତ୍‌କେଲାରେ ବିମାନବନ୍ଦରଗୁଡ଼ିକରେ ନୂତନ ଘରୋଇ ଓ ଆର୍ନ୍ତଜାତୀୟ ବାୟୁ ମାର୍ଗ ଆରମ୍ଭ କରିବାକୁ ଉତ୍ସାହିତ ହେବେ। ନୂତନ ନୀତିରେ ସରକାର ବିମାନ ସଂସ୍ଥାଗୁଡିକ ‘ଗ୍ୟାପ୍ ଫଣ୍ଡିଂ’ ପାଇବେ। ଘରୋଇ ମାର୍ଗ ପାଇଁ ପ୍ରତି ରାଉଣ୍ଡଟ୍ରିପ୍‌ରେ ୫ଲକ୍ଷ ଟଙ୍କା ଏବଂ ଆର୍ନ୍ତଜାତୀୟ ମାର୍ଗ ପାଇଁ ୧୦ ଲକ୍ଷ ଟଙ୍କା ସହିତ ୭୫୦ କିଲୋମିଟର ଅଧିକ ମାର୍ଗ ପାଇଁ ବୃଦ୍ଧି ସମ୍ଭାବନା ରହିଛି। ଏହି ନୂତନ ନୀତି ଆର୍ôଥକ ବିପଦକୁ ହ୍ରାସ କରିବ ଏବଂ ନୂତନ ମାର୍ଗଗୁଡିକୁ ଅଧିକ ଆକର୍ଷଣୀୟ କରିବ।

ଆହୁଜା କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୧ କୋଟି ଉପରେ ପଞ୍ଜୀକରଣ ହୋଇଛି। ୬୦ ଲକ୍ଷ ଉପରେ ହିତାଧିକାରୀ ଟଙ୍କା ପାଇ ସାରିଲେଣି। ୨ ଲକ୍ଷ ୭୦ ଆବେଦନକାରୀଙ୍କ ଆବେଦନ ନାକଚ ହୋଇଛି। କାହିଁକି କଟିଲା ସେଗୁଡ଼ିକୁ ଯାଞ୍ଚ କରାଯିବ। ଏହି ଯୋଜନା ପାଇଁ ବଜେଟ୍‌ରେ ପାଞ୍ଚ ବର୍ଷରେ ୫୫,୮୨୫ କୋଟି ଟଙ୍କା ବ୍ୟୟ ହେବ। ସେହିପରି ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଆଇନ୍‌ରେ ସଂଶୋଧନ ହୋଇଛି। ଜିଏସ୍‌ଟିରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ରେ ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking