ଇସଲାମାବାଦ : ଉଠୁଛି ପଡ଼ୁଛି ପାକିସ୍ତାନ ରାଜନୀତି। ସବୁବେଳେ ସରଗରମ। ବିରୋଧୀ-ଶାସକ ଟଣାଟଣି। ଅବିଶ୍ବାସ ପ୍ରସ୍ତାବରେ ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ପରେ ଏବଂ ଶେହବାଜ ସରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ସପଥ ଗ୍ରହଣ କରିବା ପରଠୁ ଅଶାନ୍ତ ହୋଇପଡ଼ିଛି ପାକିସ୍ତାନ ରାଜନୀତି। ଦେଶରେ ପଦଯାତ୍ରା କରି ସମ୍ପ୍ରତି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ଇମ୍ରାନ। ଏବେ ପୁଣି ଥରେ ଶେହବାଜଙ୍କୁ ନେଇ ତାତ୍ସଲ୍ୟକର ମନ୍ତବ୍ୟ ଦେଇଛନ୍ତି ଇମ୍ରାନ ଖାନ୍। ଅବଶ୍ୟ ଏହାରି ଭିତରେ ଇମ୍ରାନ ଖାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ ବୋଲି ଦୀର୍ଘ ସମୟ ଧରି ଚର୍ଚ୍ଚା ଲାଗି ରହିଥିଲା। ବର୍ତ୍ତମାନ ଇମ୍ରାନ ଖାନ ଶାହବାଜ ସରିଫଙ୍କୁ ଏକ ନୂଆ ଚ୍ୟାଲେଞ୍ଜ ଦେଇ ବର୍ତ୍ତମାନର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୂଚନା ଥାଉକି, ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ଇମରାନ୍ ଖାନ ଶେହବାଜ ସରିଫ ଏବଂ ତାଙ୍କ ନେତୃତ୍ବାଧିନ ମେଣ୍ଟକୁ ଅଲଗା ନିର୍ବାଚନ ଜିତିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଇମ୍ରାନ ଖାନ୍ କହିଛନ୍ତି ଶେହବାଜ ସରକାରଙ୍କର ନିର୍ବାଚନ ଜିତିବା ସତରେ ଅସମ୍ଭବ କାମ ଅଟେ। କାହିଁକି ନା ଶାସକ ଦଳ ଆମ ଦଳର ଅଭିଯାନ ସହ ମେଳ ଖାଇବ ନାହିଁ। ଖାନ କହିଛନ୍ତି ଯେ ସରକାର ପିଟିଆଇ କର୍ମୀ ଏବଂ ନେତାଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି ଯାହା ଦ୍ବାରା କି ସେମାନେ ତାଙ୍କ ଇଚ୍ଛା ଅନୁସାରେ କାହାକୁ ବି ଜେଲ ପଠାଇପାରିବେ।ରିପୋର୍ଟ ଅନୁଯାୟୀ, ଇମରାନ୍ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ବାଚନ ପାଇଁ ପିଟିଆଇ କାର୍ୟ୍ୟ ଜାରି ରଖିଥିବାରୁ ବର୍ତ୍ତମାନର ସରକାରଙ୍କୁ ନିର୍ବାଚନ ପ୍ରଚାର ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ। ମେ’ ୨୫ ରେ ଆୟୋଜିତ ହୋଇଥିବା ‘ଆଜାଦି ପଦଯାତ୍ରା’ ବିଷୟରେ ଇମ୍ରାନ ଖାନ୍ କହିଛନ୍ତି ଯେ ଗତ ମାସରେ ଇସଲାମାବାଦରେ ଦଳର ପଦଯାତ୍ରାକୁ ନେଇ ସରକାର ପିଟିଆଇ ସଦସ୍ୟଙ୍କ ବିରୋଧରେ ଏକ ନକଲି ମାମଲା ପଞ୍ଜୀକୃତ କରିଛନ୍ତି।