କେନ୍ଦ୍ରାପଡା: ରାଜନଗରରେ ବଢୁଛି ଗ୍ୟାସ୍ ଯନ୍ତ୍ରଣା, ଗ୍ରାହକ ହନ୍ତସନ୍ତ । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ରାଜନଗରରେ ପଡ଼ିଛି । ବଢିଛି ଗ୍ୟାସ୍ କଳାବଜାରୀ । ମାସ ମାସ ଧରି ଅପେକ୍ଷା କରି ମଧ୍ୟ ଲୋକେ ଗ୍ୟାସ ପାଉନାହାନ୍ତି | ଗ୍ୟାସ୍ ବିତରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ମନମାନି ପାଇଁ ଏଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ହିତାଧିକାରୀ । ଜଣେ କି ଦୁଇଜଣ ଉପଭୋକ୍ତା ନୁହଁନ୍ତି, ବରଂ ହଜାର ହଜାର ଗ୍ରାହକ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଉଟି ଗ୍ୟାସ୍ ପାଇଁ ହନ୍ତସନ୍ତ ହେଉଥିବାବେଳେ ରାଜନଗରର ବିଭିନ୍ନ ହୋଟେଲରେ ଏବେ ବି ମାଳମାଳ ଘରୋଇ ଗ୍ୟାସ୍ ସିଲିଣ୍ଡର ଦେଖିବାକୁ ମିଳୁଛି । ତେଣୁ କିଏ ଦେଉଛି, କେଉଁଠି ଆସୁଛି ତାହା ଉପରେ ପ୍ରଶାସନର ନଜର ନାହିଁ ।ଅନ୍ୟପଟେ ଜଗତସିଂହପୁର ସହରରେ ଗ୍ୟାସ ସଙ୍କଟ । ଯେତିକି ସିଲିଣ୍ଡର ଆସୁଛି ତାହା ସମୁଦ୍ରକୁ ଶଙ୍ଖେ ପରି । ସରକାର ଗ୍ୟାସ୍ ସଙ୍କଟ ନଥିବା କହି ଆସୁଛନ୍ତି । ହେଲେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ପ୍ରତ୍ୟେକ ଦିନ ଗ୍ୟାସ୍ ସିଲିଣ୍ଡର ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଛନ୍ତି ଲୋକ । ଏପରିକି ରାତି ଅଧରୁ ଲାଇନରେ ଛିଡା ହେଉଛନ୍ତି ଲୋକ । ହେଲେ ସବୁଦିନ ସେହି ସମାନ ସ୍ଥିତି । ଗ୍ୟାସ୍ ନପାଇ ଡିପୋରୁ ଫେରୁଛନ୍ତି ଲୋକେ ।










