30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଭାରତ ସହ ବିବାଦ ପ୍ରଭାବ: ମାଳଦ୍ୱୀପରେ ରାଜନୈତିକ ଅସ୍ଥିରତା

ଭାରତ ସହ ବିବାଦ ପ୍ରଭାବ: ମାଳଦ୍ୱୀପରେ ରାଜନୈତିକ ଅସ୍ଥିରତା

ନୂଆଦିଲ୍ଲୀ: ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ୩ ଯୁବମନ୍ତ୍ରୀଙ୍କ ବିବାଦୀୟ ବୟାନବାଜି ଏବେ ମାଳଦ୍ୱୀପ ସରକାରଙ୍କ ଉପରେ ଭାରି ପଡ଼ିବାକୁ ଯାଉଛି । ମାଳଦ୍ୱୀପରେ ଏବେ ରାଜନୈତିକ ଅସ୍ଥିରତାଜନିତ ପରିସ୍ଥିତି ଉତ୍ପନ୍ନ ହୋଇଛି । ଭାରତ ସହ ସମ୍ପର୍କ ଖରାପ କରିବା ଅଭିଯୋଗ ଆଧାରରେ ମାଳଦ୍ୱୀପର ବିରୋଧୀ ଦଳଗୁଡ଼ିକ ଏବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରିଦେଇଥିବା ଜଣାପଡିଛି । ଯଦି ମାଳଦ୍ୱୀପ ରାଜନୀତିରେ ଭାରତ ପ୍ରତି ସମର୍ଥନ ବଳବତ୍ତର ରୁହେ ତେବେ ମୁଇଜୁଙ୍କ ନେତୃତ୍ୱାଧୀନ ସରକାରର ପତନ ହେବା ଏକପ୍ରକାର ନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ପୂର୍ବରୁ ଚୀନ୍ ପ୍ରତି ମାତ୍ରାଧିକ ଅନୁରକ୍ତି ପ୍ରସଙ୍ଗରେ ମହମ୍ମଦ ମୁଇଜୁଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଆସୁଛି । ତେବେ ଏବେ ଯେତେବେଳେ ଭାରତ ସହ ମାଳଦ୍ୱୀପର ସିଧାସଳଖ ବିବାଦ ଆରମ୍ଭ ହୋଇଛି ସେତେବେଳେ ସିଧାସଳଖ ମୁଇଜୁଙ୍କୁ ଗାଦିଚ୍ୟୁତ କରିବାର କଥା ଉଠିଛି । ସ୍ଥାନୀୟ ସଂସଦୀୟ ସଂଖ୍ୟାଲଘୁ ନେତା ଅଲ୍ଲି ଅଜିମ୍ ଦାବି କରିଛନ୍ତି ଯେ, ବର୍ତ୍ତମାନ ମାଳଦ୍ୱୀପର ଅଧିକାଂଶ ଦଳ ମୁଇଜୁଙ୍କୁ ବହିଷ୍କାର କରିବା ଦିଗରେ ଚିନ୍ତା କରୁଛନ୍ତି । ଏଥିରେ ମୁଇଜୁଙ୍କ ନିଜ ଦଳର ଅନେକ ସାଂସଦ ମଧ୍ୟ ସମର୍ଥନ କରିଛନ୍ତି । ମାଳଦ୍ୱୀପ ନିଜ ବୈଦେଶିକ ନୀତିରେ ସ୍ଥିରତା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ । କୌଣସି ପଡୋଶୀ ଦେଶକୁ ଏହି ନୀତିରୁ ବିଚ୍ଛିନ୍ନ ହେବାକୁ ଦିଆଯିବା ଉଚିତ୍ ନୁହେଁ । ଅଲ୍ଲି ଅଜିମ୍‌ଙ୍କ ଅନୁସାରେ ଭାରତ, ମାଳଦ୍ୱୀପ ପାଇଁ ସଦାସର୍ବଦା ଭଲ ବନ୍ଧୁ ଭାବେ ରହିଆସିଛି । ଭାରତ ସହ କୌଣସି ପ୍ରକାର ବିବାଦକୁ କଦାପି ବରଦାସ୍ତ କରାଯିବନାହିଁ ।

ସୂଚନାଯୋଗ୍ୟ, ମୁଇଜୁଙ୍କ ସରକାରରେ ଥିବା ୩ ଯୁବମନ୍ତ୍ରୀ ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ ତୁଳନାତ୍ମକ ବିତର୍କ ମଧ୍ୟରେ ଭାରତ ଏବଂ ମୋଦୀଙ୍କ ପ୍ରତି ଅତ୍ୟନ୍ତ ଅସଭ୍ୟ ଶବ୍ଦ ପ୍ରୟୋଗ କରିଥିଲେ । ଏହାକୁ ନେଇ ଭାରତରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଯଦିଓ ମୁଇଜୁ ସରକାର ସେମାନଙ୍କୁ ସରକାରରୁ ନିଲମ୍ବିତ କରିଛନ୍ତି ତଥାପି ଭାରତୀୟଙ୍କ ଆକ୍ରେଶ ଥଣ୍ଡାପଡିନାହିଁ । ଭାରତର ପର୍ଯ୍ୟଟକମାନେ ଏବେ ବୟକଟ୍ ମାଳଦ୍ୱୀପକୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରି ରଖିଛନ୍ତି ।

ପରିଣାମସ୍ୱରୂପ ମାଳଦ୍ୱୀପ ପର୍ଯ୍ୟଟନ ମାତ୍ରାଧିକ ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଏହାକୁ ନେଇ ମାଳଦ୍ୱୀପ ଟୁରିଜିମ୍ ଆସୋସିଏସନ୍ ପକ୍ଷରୁ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମା ପ୍ରାର୍ଥନା କରାଯାଇଛି । ତେବେ ଭାରତ ପକ୍ଷରୁ ମନ୍ତ୍ରୀଙ୍କୁ ନିଲମ୍ବନ ନୁହେ ବରଂ ବହିଷ୍କାର କରାଯିବା ନେଇ ଦାବି କରାଯାଉଛି । ଭାରତରେ ଅବସ୍ଥାପିତ ମାଲେ ରାଷ୍ଟ୍ରଦୂତଙ୍କୁ ଏନେଇ ଦାବିପତ୍ର ସହ ଘଟଣା ସମ୍ପର୍କରେ ରିପୋର୍ଟ ତଲବ କରାଯାଇଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତ-ମାଳଦ୍ୱୀପ ବିବାଦ ଏବେ ଯେତେବେଳେ ଉଗ୍ରତର ହେବାରେ ଲାଗିଛି ଏପରି ଏକ ସମୟରେ ଭାରତ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଆସିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ମୁଇଜୁ ଭାରତ ଗସ୍ତରେ ଆସିବେ ବୋଲି କୁହାଯାଉଛି । ତେବେ ମୁଇଜୁଙ୍କ ଏହି ଭାରତ ଗସ୍ତ ଏସବୁ ବିବାଦ ଆରମ୍ଭ ହେବାର ବହୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ତେବେ ଏସମ୍ପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସମ୍ପ୍ରତି ମୁଇଜୁ ଚୀନ୍ ଗସ୍ତରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking