ମୁମ୍ବାଇ: ଆସନ୍ତା ବର୍ଷ ଜାନୁଆରୀ ୧୪ରୁ ୨୯ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକାରେ ଖେଳାଯିବାକୁ ଥିବା ଆଇସିସି ଅଣ୍ଡର୍-୧୯ ମହିଳା ଟି-୨୦ ବିଶ୍ୱକପ୍ ସକାଶେ ସୋମବାର ବିସିସିଆଇ ପକ୍ଷରୁ ଏକ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳର ନେତୃତ୍ୱ ବିସ୍ଫୋରକ ଓପନିଂ ବ୍ୟାଟ୍ସଓମ୍ୟାନ୍ ଶେଫାଳୀ ବର୍ମାଙ୍କୁ ଦିଆଯାଇଛି । ଏଥିସହ ପ୍ରଥମ ଅଣ୍ଡର୍-୧୯ ମହିଳା ବିଶ୍ୱକପ୍ ପୂର୍ବରୁ ସାଉଥ୍ ଆଫ୍ରିକା ବିପକ୍ଷରେ ଆସନ୍ତା ୧୭ ତାରିଖଠାରୁ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ସିରିଜ୍ ସକାଶେ ମଧ୍ୟ ସର୍ବଭାରତୀୟ ମହିଳା ଚୟନ କମିଟି ଦଳ ଚୟନ କରିଛି ।
ଦ୍ୱିପାକ୍ଷିକ ସିରିଜ୍ରେ ମଧ୍ୟ ଅଧିନାୟିକା ଦାୟିତ୍ୱ ଅଦ୍ୟାବଧି ଅନ୍ତର୍ଜାତୀୟ ସ୍ତରରେ ଭାରତ ପକ୍ଷରୁ ୨ଟି ଟେଷ୍ଟ୍, ୨୧ଟି ଦିନିକିଆ ଓ ୪୬ଟି ଟି-୨୦ ଖେଳିସାରିଥିବା ଶେଫାଳୀଙ୍କୁ ପ୍ରଦାନ କରାଯାଇଛି । ୫ଟି ଟି-୨୦ ଖେଳାଯିବାକୁ ଥିବା ଏହି ସିରିଜ୍ ସକାଶେ ଏକ ୧୮ଜଣିଆ ଦଳ ଘୋଷଣା କରାଯାଇଛି । ସିରିଜ୍ର ସମସ୍ତ ମ୍ୟାଚ୍ ପ୍ରିଟୋରିଆର ଟକ୍ସ ଓଭାଲ୍ଠାରେ ଡିସେମ୍ବର ୨୭,୨୯,୩୧ ଏବଂ ଜାନୁଆରୀ ୨ ଓ ୪ ତାରିଖରେ ଖେଳାଯିବ । ସେହିପରି ପ୍ରଥମ ଥର ପାଇଁ ଆଇସିସି ପକ୍ଷରୁ ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ୧୬ଟି ଦଳ ଭାଗନେବେ ଓ ଏଥିରେ ଗ୍ରୁପ୍-ଡି’ରେ ସାମିଲ୍ ଥିବା ଭାରତର ମୁକାବିଲା ସାଉଥ୍ ଆଫ୍ରିକା, ୟୁଏଇ ଓ ସ୍କଟ୍ଲାଣ୍ଡ୍ ସହ ହେବ । ପ୍ରତି ଗ୍ରୁପ୍ର ୩ ଶୀର୍ଷ ଦଳ ସୁପର୍ ସିକ୍ସ ରାଉଣ୍ଡ୍କୁ ଉନ୍ନୀତ ହେବେ । ଏହି ରାଉଣ୍ଡରେ ୧୨ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ । ଏହି ରାଉଣ୍ଡ୍ର ଦୁଇଟି ଲେଖାଏଁ ଶୀର୍ଷ ଟିମ୍ ସେମିଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ପାଇବେ । ସେମିଫାଇନାଲ୍ ମୁକାବିଲା ଜାନୁଆରୀ ୨୭ ତାରିଖରେ ପୋଚେଷ୍ଟ୍ରୁମ୍ସ୍ଥିତ ଜେବି ମାର୍କ୍ସ ଓଭାଲ୍ଠାରେ ଖେଳାଯିବାକୁ ଥିବା ବେଳେ ଫାଇନାଲ୍ ମ୍ୟାଚ୍ ଜାନୁଆରୀ ୨୯ ତାରିଖରେ ଏହି ଗ୍ରାଉଣ୍ଡ୍ରେ ଖେଳାଯିବ ।
ଦ୍ୱିପାକ୍ଷିକ ସିରିଜ୍ ପାଇଁ ଘୋଷିତ ଦଳ: ଶେଫାଳୀ ବର୍ମା (ଅଧିନାୟିକା), ଶ୍ୱେତା ଶେରାୱତ୍ (ଉପଅଧିନାୟିକା), ରୀଚା ଘୋଷ (ୱିକେଟ୍କିପର୍), ଜି. ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହର୍ଲି ଗାଲା, ହ୍ରିଷିତା ବାସୁ (ୱିକେଟ୍କିପର୍), ସୋନମ୍ ଯାଦବ, ମନ୍ନତ କାଶ୍ୟପ, ଅର୍ଚ୍ଚନା ଦେବୀ, ପର୍ଶବୀ ଚୋପ୍ରା, ଟିଟାସ୍ ସାଧୁ, ଫଲକ୍ ନାଜ୍, ଶବନମ୍ ଏମ୍ଡି, ଶିଖା, ନାଜଲା ସିଏମ୍ସି ଓ ଯଶଶ୍ରୀ ।
ବିଶ୍ୱକପ୍ ପାଇଁ ଘୋଷିତ ଦଳ: ଶେଫାଳୀ ବର୍ମା (ଅଧିନାୟିକା), ଶ୍ୱେତା ଶେରାୱତ୍ (ଉପଅଧିନାୟିକା), ରିଚା ଘୋଷ (ୱିକେଟ୍କିପର୍), ଜି. ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହର୍ଲି ଗାଲା, ହ୍ରିଶିତା ବାସୁ (ୱିକେଟ୍କିପର୍), ସୋନମ୍ ଯାଦବ, ମନ୍ନତ କଶ୍ୟପ, ଅର୍ଚ୍ଚନା ଦେବୀ, ପାର୍ଶବୀ ଚୋପ୍ରା, ଟିଟାସ୍ ସାଧୁ, ଫଲକ୍ ନାଜ୍ ଓ ଶବନମ୍ ଏମ୍ଡି । ଷ୍ଟାଣ୍ଡବାଇ ଖେଳାଳି: ଶିଖା, ନାଜଲା ସିଏମ୍ସି ଓ ଯଶଶ୍ରୀ ।