ନୂଆଦିଲ୍ଲୀ: ଆଗାମୀ ଦିନରେ ବିଶ୍ୱ ଆଉ ଏକ ଭୟଙ୍କର ମହାମାରୀର ନିକଟବର୍ତ୍ତୀ ହେବାକୁ ଯାଉଛି । ଏହି ମହାମାରୀ ପ୍ରାଣଘାତୀ କରୋନା ମହାମାରୀ ଠାରୁ ମଧ୍ୟ ଅଧିକ ଭୟଙ୍କର । କରୋନା ପରେ ଏବେ ବିଶ୍ୱବାସୀ ଆଉ ଏକ ଭୟାବହ ମହାମାରୀର ସାମ୍ନା କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏକ ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏଚ୍୫ଏନ୍୧ ଅର୍ଥାତ୍ ବାର୍ଡ ଫ୍ଲୁ ଭୂତାଣୁ ଏକ ଗୁରୁତର ସ୍ଥିତି ଆଡକୁ ଗତି କରୁଛି । କୁହାଯାଉଛି ଯେ, ଏହି ଭୂତାଣୁ ଆଗାମୀ ସମୟରେ ମହାମାରୀର ରୂପ ନେବାର ସମ୍ଭାବନା ରହିଛି ଯାହାକି କୋଭିଡ୍-୧୯ ଠାରୁ ମଧ୍ୟ ୧୦୦ ଗୁଣ ଅଧିକ ମାରାତ୍ମକ ସାବ୍ୟସ୍ତ ହେବ । ଏଚ୍୫ଏନ୍୧ର ନୂତନ ଷ୍ଟ୍ରେନ୍ ଗୁରୁତର ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ କୋଭିଡ୍-୧୯ ଠାରୁ ଏଚ୍୫ଏନ୍୧ ଅଧିକ ସଂକ୍ରାମକ ହେବ ବୋଲି ବିଶେଷଜ୍ଞମାନେ ଦାବି କରିବା ପରେ ହ୍ୱାଇଟ୍ ହାଉସ୍ ଏହାର ସକ୍ରିୟତାର ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି । ଆମେରିକାରେ ଗତ କିଛି ଦିନ ମଧ୍ୟରେ ଗାଈ, ବିଲେଇ ଏବଂ ମଣିଷଙ୍କ ସମେତ ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ଏଚ୍୫ଏନ୍୧ ସଂକ୍ରମଣ ଚିହ୍ନଟ ହୋଇଛି । ଏହା ଦେଖାଯାଇଛି ଯେ, ପଶୁମାନଙ୍କ ଅପେକ୍ଷା ମଣିଷମାନଙ୍କ ଶରୀରରେ ଏହି ଭୂତାଣୁ ଅଧିକ ଖରାପ ପ୍ରଭାବ ପକାଉଛି । ଅନ୍ୟପକ୍ଷେ ପିଟସବର୍ଗର ଜଣେ ପ୍ରମୁଖ ବାର୍ଡ ଫ୍ଲୁ ରିସର୍ଚ୍ଚର ଡକ୍ଟର ସୁରେଶ କୁଚିପୁଡ଼ି ଚେତାବନୀ ଦେଇ କହିଛନ୍ତି ଯେ, ଏଚ୍୫ଏନ୍୧ ଭୂତାଣୁ ମଣିଷଙ୍କୁ ମାତ୍ରାଧିକ ସଂକ୍ରମିତ ହେବାର କ୍ଷମତା ରଖୁଛି । ସେହିପରି କାନାଡା ସ୍ଥିତ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ବିିୟୋନିଗ୍ରାର ପ୍ରତିଷ୍ଠାତା ଜନ୍ ଫୁଲଟନ୍ ମଧ୍ୟ ଏହି ଜୀବାଣୁ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । ଫୁଲଟନ୍ଙ୍କ ଅନୁସାରେ କରୋନା ଠାରୁ ୧୦୦ ଗୁଣ ଅଧିକ ମାରାତ୍ମକ ଏହି ଏଚ୍୫ଏନ୍୧ ଭୂତାଣୁ ଦ୍ରୁତଗତିରେ ନିଜ ଷ୍ଟ୍ରେନ୍ (ରୂପ) ପରିବର୍ତ୍ତନ କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ବ୍ୟାପାର ହୋଇପାରେ । ଏପରିକି ବିଶ୍ୱସ୍ତରରେ ଏହି ଭୂତାଣୁଜନିତ ମୃତ୍ୟୁହାର ମଧ୍ୟ ସର୍ବାଧିକ ସ୍ତର ଛୁଇଁବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏସମ୍ପର୍କୀତ ଜାରି ଏକ ତଥ୍ୟ ଅନୁସାରେ ୨୦୦୩ ପରଠାରୁ ଏଚ୍୫ଏନ୍୧ ଭୂତାଣୁ ପୀଡ଼ିତ ପ୍ରତ୍ୟେକ ୧୦୦ ଲୋକଙ୍କ ମଧ୍ୟରୁ ୫୨ଜଣଙ୍କ ମୃତ୍ୟୁ ହୋଇସାରିଛି । ୮୮୭ ଏଚ୍୫ଏନ୍୧ ସଂକ୍ରମିତଙ୍କ ମଧ୍ୟରୁ ୪୬୨ଜଣଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ତେବେ ବର୍ତ୍ତମାନ ସମୟରେ ମାନବଜାତି ପାଇଁ ବିଶେଷ କ୍ଷତିକାରକ ହୋଇନଥିବା ଏହି ଭୂତାଣୁ କୌଣସି ସମୟରେ ମଧ୍ୟ ନିଜ ଷ୍ଟ୍ରେନ୍ ବା ରୂପ ପରିବର୍ତ୍ତନ କରି ମଣିଷଙ୍କ ଜୀବନ ପ୍ରତି ବିପଦକାରୀ ସାବ୍ୟସ୍ତ ହେବ ତାହା କହିବା ଅସମ୍ଭବ । ଏବିଷୟରେ ଜାଣିବା ପରେ ଆମେରିକାର ହ୍ୱାଇଟ୍ ହାଉସ୍ ମଧ୍ୟ ଉଦ୍ବେଗ ପ୍ରକାଶ କରିଛି ।