ଭୁବନେଶ୍ୱର: ସୋର ପୌରପାଳିକା ଅନ୍ତର୍ଗତ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ୨୬ ଜଣ ଅନ୍ତେବାସିନୀ ଗୁରୁତ୍ତର ଅସୁସ୍ଥ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହି କନ୍ୟାଶ୍ରମରେ ଗତକାଲି ମଧ୍ୟାହ୍ନରେ ଜଣେ ଛାତ୍ରୀଙ୍କର ବାନ୍ତି ହେବାରୁ କତୃପକ୍ଷ ତାଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସନ୍ଧ୍ୟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଶୁକ୍ରବାର ସକାଳେ ଅନ୍ୟ ଜଣେ ଅନ୍ତେବାସିନୀ ଗୁରୁତ୍ତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦଶକ୍ରମେ ଏଡିଏମଓ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର,ଡିସିପିଓ ସ୍ଵାଗତିକା ଦାସ, ସୋର ଡାକ୍ତରଖାନା ଅଧିକ୍ଷକ ସତ୍ୟନାରାୟଣ ନାୟକ, ସୋର ବିଡ଼ିଓ କରୁଣାକର ଧିନ୍ଦାଙ୍କ ସମେତ ଏକ ମେଡିକାଲ ଟିମ କନ୍ୟାଶ୍ରମରେ ପହଞ୍ଚି ଅନ୍ତେବାସିନୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ୨୬ ଜଣ ଅନ୍ତେବାସିନୀଙ୍କର ଦେହ ଅସୁସ୍ଥ ଥିବାରୁ ସମସ୍ତଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତିକରାଯାଇଛି। ସେଠାରେ ଫୁଲ ମାଝିଙ୍କର ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।