ଢେଙ୍କାନାଳ : ଜଣେ ଶିକ୍ଷକଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ । ତାଙ୍କଠାରୁ ୧୦ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସର ଏକକାଳୀନ ତାଙ୍କ ଖଜୁରିଆକଟା ସ୍ଥିତ ଭଡ଼ାଘର, ହିନ୍ଦୋଳ କାର୍ଯ୍ୟାଳୟ ଓ ଭଦ୍ରକ ସହର କୁଆଁଶ ସ୍ଥିତ ବାସଭବନ ଚଢ଼ଉ କରିଥିଲା । ଏହି ଚଢ଼ଉରେ ଖଜୁରିଆ କଟା ତାଙ୍କ ଭଡା ଘରୁ ନଗଦ ୮୨ ହଜାର ଟଙ୍କା ଓ ଭଦ୍ରକ ସହରର କୁଆଁଶସ୍ଥିତ ତାଙ୍କ ବାସଭବନରୁ ୧୧ ଲକ୍ଷ୧୦ ହଜାର ୩୭୦ ଟଙ୍କା, ଏପରି ନଗଦ ମୋଟ ୧୧ଲକ୍ଷ ୯୨ହଜାର ୩୭୦ଟଙ୍କା ଭିଜିଲାନ୍ସ ଜବତ କରିଛି ।
କିଛି ମାସ ପୂର୍ବେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ବରସାହି ପ୍ରାଥମିକ ସ୍କୁଲ ପଛରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ଛାତ୍ର ପଡ଼ିଯାଇ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକ ଅଦ୍ୱୈତ ସାମଲଙ୍କ କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବିତ କରିଥିଲେ ଏହି ଲାଞ୍ଚୁଆ ବିଇଓ ଶାନ୍ତନୁ ମଲ୍ଲିକ । ତେବେ ଉକ୍ତ ନିଲମ୍ବିତ ଶିକ୍ଷକଙ୍କ ନିଲମ୍ବିତ ସମୟର ଏରିଅର ବିଲ ପାଇଁ ପ୍ରଥମେ ୫୦ ହଜାର ଟଙ୍କା ଶାନ୍ତନୁ ଲାଞ୍ଚ ଦାବି କରିଥିଲେ । ଫଳରେ ବାଧ୍ୟ ହୋଇ ଶିକ୍ଷକ ଜଣଙ୍କ ତାଙ୍କୁ ୫୦ହଜାର ଟଙ୍କା ଦେଇଥିଲେ । ମାତ୍ର ପୁଣି ୧୦ ହଜାର ଟଙ୍କା ଦେବା ପାଇଁ ଅଦ୍ୱୈତଙ୍କୁ ବାରମ୍ବାର କହୁଥିଲେ । ଫଳରେ ସେ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ବିଇଓ ଶାନ୍ତନୁ ମଲ୍ଲିକ ଖଜୁରିଆକଟା ସ୍ଥିତ ତାଙ୍କ ଭଡା ଘରେ ଅଦ୍ୱୈତଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିବା ବେଳେ ଛକି ରହିଥିବା ଭିଲିଲାନ୍ସ ତାଙ୍କୁ କାବୁ କରି ନେଇଥିଲେ ।