ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଇ) ଫଟୋ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀଙ୍କ ସହିତ ସୁଖୁଙ୍କର ଏହା ପ୍ରଥମ ସାକ୍ଷାତ୍ । ଏହାର ପୂର୍ବ ସୋମବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନ୍କଡ଼ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହା ମୁଖ୍ୟମନ୍ତ୍ରୀ ସୁଖୁଙ୍କ ନେତାମାନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି । ଉପରାଷ୍ଟ୍ରପତି ଧନକଡ଼ଙ୍କୁ ସାକ୍ଷାତ କରିବା ପରେ ସୁଖୁ କହିଥିଲେ ବିକାଶ ଏବଂ ଜନକଲ୍ୟାଣ ସମ୍ବନ୍ଧିତ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ନିକଟରେ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବାପରେ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲା ।