ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଲୋକସେବାଭବନସ୍ଥିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଆମ ଦେଶର ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ । ଆମ ରାଜ୍ୟରେ ମଧ୍ୟ ଏହି ସ୍ଥିତି ଚିନ୍ତାଜନକ । ଏଥି ପାଇଁ ବ୍ୟାପକ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା, ଟ୍ରାଫିକ୍ ନିୟନ୍ତ୍ରଣ, ରାସ୍ତା ମରାମତି ଇତ୍ୟାଦିର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ବୈଠକରେ ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଏନ୍ସିସି କ୍ୟାଡେଟ୍ମାନଙ୍କୁ ସଂଶ୍ଳିଷ୍ଟ କରି ସଡ଼କ ସୁରକ୍ଷା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଦୁଇ ଚକିଆଯାନ ଚାଳକଙ୍କ ନିମନ୍ତେ ହେଲ୍ମେଟ୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ସହ ସହର ମଧ୍ୟକୁ ଭାରୀଯାନ ଚଳାଚଳ ଉପରେ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏଥି ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜାତୀୟ ରାଜପଥ ନିର୍ମାଣ ଏବଂ ମରାମତି ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ, ମଙ୍ଗୁଳି ଛକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରିତ କରିବା, ନିଶାଦ୍ରବ୍ୟ ସେବନ କରି ଗାଡ଼ିଚାଳନା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ରାସ୍ତା ନିର୍ମାଣ ଓ ମରାମତି ସମ୍ପର୍କିତ ଗୁଣବତ୍ତା ଉପରେ ଗୁରୁତ୍ୱ, ଅକ୍ଟୋବର ମାସରୁ ଗାଡ଼ି ପଛରେ ଲାଲ୍ ଆଲୁଅ ଅଥବା ରିଫ୍ଲେକ୍ଟିଭ୍ ଟେପ୍କୁ ବାଧ୍ୟତାମୂଳକ କରିବା, ଜାତୀୟ ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପୁଲିସ କମିଶନରଙ୍କୁ ଯାନ ଯୋଗାଇଦେବା, ଭୁବନେଶ୍ୱର-କଟକ ରାସ୍ତାରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥାର ପ୍ରଚଳନ ଆଦି ବିଷୟ ନେଇ ବିସ୍ତୃତ ଆଲୋଚନା ହେବା ସହ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ, ଟ୍ରକ୍ ଓ ବସ୍ ମାଲିକସଂଘର କର୍ମକର୍ତ୍ତା ଏବଂ ପରିବହନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।