ଚଣ୍ଡିଗଡ: କୁକୁର କାମୁଡ଼ାକୁ ନେଇ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏକ ଆଦେଶ ଦେଇଛନ୍ତି । ଏହା ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ କୁକୁର କାମୁଡ଼େ, ତେବେ ପ୍ରତି ଦାନ୍ତଚିହ୍ନ ପାଇଁ ସରକାର ୧୦ ହଜାର ଟଙ୍କା କ୍ଷତିପୂରଣ ଦେବେ । ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ପ୍ରତି ଦାନ୍ତଚିହ୍ନ ପାଇଁ ଅତିକମ୍ରେ ୧୦ ହଜାର କ୍ଷତିପୂରଣ ମିଳିବା ଉଚିତ । ଏହା ବ୍ୟତୀତ ଯଦି ୦.୨ ମାଂସ ବାହାରକୁ ବାହାରିଥାଏ, ତେବେ ଏହା ବଦଳରେ ପୀଡ଼ିତଙ୍କୁ ଅତିକମ୍ରେ ୨୦ ହଜର ଟଙ୍କା କ୍ଷତିପୂରଣ ମିଳିବା ଉଚିତ । କୋର୍ଟ ବୁଲାକୁକୁରଙ୍କ ଦ୍ୱାରା ଆକ୍ରମଣର ୧୯୩ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ।
ମାମଲାର ଶୁଣାଣି କରି ବେଞ୍ଚ୍ କହିଛନ୍ତି, ଏପରି ମାମଲାରେ ପ୍ରଶାସନ ଉତ୍ତରଦାୟୀ ହେବ । ଏହା ସହିତ କୁକୁର କାମୁଡ଼ା ଏବଂ ଅନ୍ୟ ବୁଲାପଶୁ ଆକ୍ରମଣ ପାଇଁ କେତେ କ୍ଷତିପୂରଣ ଦିଆଯିବ, ତାହା ସ୍ଥିର କରିବା ନିମନ୍ତେ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ପଞ୍ଜାବ, ହରିଆଣା ଏବଂ ଚଣ୍ଡିଗଡ଼କୁ ଆଦେଶ ଦେଇଛନ୍ତି । ବୁଲାପଶୁଙ୍କ ମଧ୍ୟରେ ଗାଈ, ଷଣ୍ଢ, ନୀଳଗାଈ, ଗଧ, କୁକୁର, ମଇଁଷି ଏବଂ ଅନ୍ୟ ପଶୁ ସାମିଲ । ସାରା ଦେଶରେ କୁକୁର କାମୁଡ଼ା ଆକ୍ରମଣକୁ ନେଇ ଡିବେଟ୍ ଚାଲିଥିବା ସମୟରେ ହାଇକୋର୍ଟଙ୍କ ଏହି ଆଦେଶ ଆସିଛି । ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ପ୍ରସିଦ୍ଧ ଚା’ କମ୍ପାନୀ ବାଗ ବକରୀର ସିଇଓ ପରାଗ ଦେସାଇଙ୍କ ଉପରେ ବୁଲାକୁକୁର ଆକ୍ରମଣ କରିଥିଲେ । କୁକୁର ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ତଳେ ପଡ଼ିଯାଇଥିଲେ ଏବଂ ଚିକିତ୍ସା ବେଳେ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଥିଲା ।