ମୁମ୍ବାଇ: ନିଜର ଆବେଦନ ସହ ଆପତ୍ତିଜନକ ଫଟୋ ଦାଖଲ କରିବା ଜଣେ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ଏପରି ହରକତ ପାଇଁ ଆଇନଜୀବୀଙ୍କ ଉପରେ ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ବମ୍ବେ ହାଇକୋର୍ଟ। ଜଣେ ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଥିବା ଦୁଷ୍କର୍ମ ମାମଲାକୁ ରଦ୍ଦ କରିବା ପାଇଁ ଆଇନଜୀବୀ ଜଣଙ୍କ ଏପରି ଆବେଦନ କରିଥିଲେ। ବମ୍ବେ ହାଇକୋର୍ଟର ଜଷ୍ଟିସ ରେବତୀ ମୋହିତେ ଦେରେ ଓ ଜଷ୍ଟିସ ଏସଏମ ମୋଦକଙ୍କୁ ନେଇ ଗଠିତ ଡିଭିଜନାଲ ବେଞ୍ଚ ଗୋଟିଏ ନିର୍ଦ୍ଦେଶନାମାରେ କହିଛନ୍ତି, ଆବେଦନକାରୀ ଆଇନଜୀବୀ କୌଣସି ପ୍ରକାରର ସେନ୍ସ ବ୍ୟବହାର କରି ନାହାନ୍ତି। ସେ ସବୁ କିଛି ଭୁଲି ଓ ଅଧିକ ଉତ୍ସାହିତ ହୋଇ ଅତ୍ୟନ୍ତ ଆପତ୍ତିଜନକ ଫଟୋ ନିଜର ଆବେଦନ ସହ ଦାଖଲ କରିଛନ୍ତି। ଅକ୍ଟୋବର ୭ରେ ବେଞ୍ଚ ଏପରି କଥା କହିଥିବା ବେଳେ ଆଜି ଏହାର କପି ହସ୍ତଗତ ହୋଇଛି। ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବ୍ୟକ୍ତିଙ୍କ ପତ୍ନୀ ଏଫଆଇଆର ଓ ପୁଲିସ୍ ଦାଖଲ କରିଥିବା ଚାର୍ଜଶିଟକୁ ରଦ୍ଦ କରିବାକୁ ଆବେଦନ କରିଥିଲେ। ଏହାର ଶୁଣାଣି ବେଳେ ଖଣ୍ଡପୀଠ ବିବାଦୀୟ ଫଟୋ ଗୁଡ଼ିକ ଦେଖିଛନ୍ତି। ଖଣ୍ଡପୀଠ କହିଛନ୍ତି, ଆଇନଜୀବୀ ଭୁଲି ଯାଉଛନ୍ତି ଯେ ଏହି ଆବେଦନ ରେଜଷ୍ଟ୍ରାରଙ୍କ ନିକଟରେ ଦାଖଲ ହୁଏ ଓ ବିଭିନ୍ନ ବିଭାଗ ମଧ୍ୟରେ ବଣ୍ଟାଯାଏ। ଆବେଦନକାରୀ ଆପତ୍ତିଜନକ ଫଟୋ ଦାଖଲ କରି ଦୁଇ ପକ୍ଷଙ୍କ ଲିଙ୍କକୁ ସାର୍ବଜନୀନ କରିଛନ୍ତି। ଆବେଦନ ସହ ଫଟୋଗ୍ରାଫକୁ ସଂଯୋଗ କରିବା ଦୁଇ ପକ୍ଷଙ୍କ ଗୋପନୀୟତା ଅଧିକାରକୁ ଉଲ୍ଲଙ୍ଘନ କରୁଛି।