ଚଣ୍ଡିଗଡ : ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ସୁରକ୍ଷା ଦୃଷ୍ଟିରୁ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରିବାକୁ ଆଦେଶ ଦେଇଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ମାସରେ ଆଇଡି ବିସ୍ଫୋରଣ କରି ଏକ ତେଲ ଟ୍ୟାଙ୍କର ଉଡାଇବାକୁ ଯୋଜନା କରିଥିଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥିତ ଆତଙ୍କବାଦୀ ମଡ୍ୟୁଲ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ପରେ ହାଇଆଲର୍ଟ ଜାରି କରାଯାଇଛି ।
ମିଳିଥିବା ତଥ୍ୟ ଅନୁସାରେ, ଅମୃତସର ପୋଲିସ ବୁଧବାର ରାଜ୍ୟରେ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଉଛି । ଏମାନେ ସମସ୍ତେ ଭାରତ-ପାକିସ୍ଥାନ ସୀମା ନିକଟରେ ଥିବା ଗାଁର ବାସିନ୍ଦା । ତେବେ ଆତଙ୍କବାଦ ମଡ୍ୟୁଲ ସମ୍ପର୍କରେ ଅଧିକାରିକ ଭାବେ କୌଣସି ବିବୃତ୍ତି ଦିଆଯାଇନାହିଁ । ଗତ କିଛି ମାସ ଧରି ପାକିସ୍ତାନ କ୍ରମାଗତ ଭାବେ ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାରେ ଲାଗିଛି । ପାକିସ୍ତାନ ପ୍ରାୟତଃ ଆଇଏସଆଇ ସହାୟତାରେ ସୀମା ପାରକରି ଅସ୍ତ୍ରଶସ୍ତ୍ର ଏବଂ ହିରୋଇନ୍ ପଠାଇବାକୁ ପ୍ରୟାସ ଜାରିରଖିଛି । ଏଥିପାଇଁ ଡ୍ରୋନର ସାହାଯ୍ୟ ନେଉଛି ପାକିସ୍ତାନ । ଭାରତ ମଧ୍ୟ ପାକିସ୍ତାନୀ ଡ୍ରୋନକୁ ଅନେକ ଥର ଗୁଳି କରି ଖସାଇଛି । ଏହି ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ପୂର୍ବରୁ ଗତ ଅଗଷ୍ଟରେ ଅମୃତସରର ଏକ ଗାଁ ରୁ ଟିଫିନ୍ ବୋମା ସହିତ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା ।