ଭୁବନେଶ୍ୱର : ଆଗାମୀ ୩ ଘଣ୍ଟା ପାଇଁ ଭୁବନେଶ୍ୱରରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା ଜିଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର ଏକ ଲଘୁଚାପ ସୃଷ୍ଟି ହେବ। ଏହି ଲଘୁଚାପଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ଦୁଇ ଦିନରେ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ପ୍ରଦେଶ ମୁହାଁ ହୋଇ ସ୍ଥଳଭାଗ ଅତିକ୍ରମ କରିବ। ପ୍ରଭାବର ରାଜ୍ୟର ବିଭିନ୍ନ ସ୍ଥାନରେ ୩୧ ତାରିଖ ପର୍ୟ୍ୟନ୍ତ ବର୍ଷା ଜାରି ରହିବ। ଗୁରୁବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଥିବା ବେଳେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ନୂଆପଡ଼ା, କଟକ, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।










