ଭୁବନେଶ୍ୱର: ଶନିବାର ଦିନ ସାଢ଼େ ୧ଟାରେ ରାଜଧାନୀରେ ଆରମ୍ଭ ହୋଇଥିବା ବର୍ଷା । ପ୍ରଥମେ ଝିପିଝିପି ବର୍ଷା ହୋଇଥିଲା । ତା’ପରେ ଆରମ୍ଭ ହୋଇଥିଲା ବଜ୍ରପାତ । ଗୋଟିଏ ପରେ ଗୋଟିଏ ବିଜୁଳି ମାରିଥିଲା ।ତେବେ ଘଣ୍ଟାଏରେ ଭୁବନେଶ୍ୱର ସହରରେ ମାରିଛି ୪୨ ହଜାରରୁ ଅଧିକ ଥର ବିଜୁଳି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ରାଜଧାନୀବାସୀ ଭୟଭୀତ ହୋଇପଡିଥିଲେ । ପରେ ମେଘର ପରିମାଣ ବଢ଼ିଥିଲା ।
ରାଜଧାନୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ତେବେ ରାଜଧାନୀରେ ୧୨୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁ ଇସ୍କନ ମନ୍ଦିର ଆଗ, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍, ନୟାପଲ୍ଲୀ ପ୍ରମୁଖ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିଲା । ସେହିପରି କଟକରେ ୯୫.୮ ମିଲିମିଟର ବର୍ଷା ହୋଇଛି ।
ତେବେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ବୌଦ୍ଧ ଥାନା ରାଉତବାହାଲ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ପାନେଶ୍ୱରୀ ପୋଢ଼ । ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ସେ ଗୁରୁତର ଆହତ ହୋଇଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଅରାଙ୍ଗ ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅପରାହ୍ନରେ ବିଲରେ ଏହି ଚାରି ଜଣ ଏକ ଭାଡ଼ା ଉପରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା । ଏଥିରେ ରଞ୍ଜନ ରଣସିଂହ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ବାଣପୁର ଥାନା ଦାମିଆ ବରବରାର କଦମଝୋଲା ଗାଁରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ଅମର ଶବର । ସେ ଗାଁ ଦାଣ୍ଡରେ ବୁଲୁ ଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା । ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁଟିସିଂହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସାରଣା ଗାଁରେ ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି । ସେହିପରି ଗଜପତି ଜିଲ୍ଲା ମୋହନା ଥାନା ଦାରୁପାଣି ଗାଁରେ ବଜ୍ରପାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଡ଼ହିଂସ ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କଟକ ଜିଲ୍ଲା ନିଆଳି ଜଲ୍ଲାରପୁର ଗାଁରେ ବଜ୍ରପାତରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡ଼ବା ଥାନା ବଦାକୁଆ ଗାଁରେ ବଜ୍ରପାତରେ ୬ଟି ଗୋରୁଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା କଣ୍ଟାଗୋଠ ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ତାଳସାକର ଗାଁରେ ବଜ୍ରପାତରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଆଗଲପୁର ବ୍ଲକ ଗୁରୋମୁଣ୍ଡା ଗାଁରେ ବଜ୍ରପାତରେ ଜଣ ୯ ମହିଳା ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।