ନୟାଗଡ: ୧୨ ବର୍ଷ ପରେ ଗାଁକୁ ଫେରିଲା ପୁଅ । ସମସ୍ତେ ଭାବିଥିଲେ ପୁଅ ମୃତ । ସେଥିପାଇଁ ତାର ସୁଦ୍ଧ କ୍ରିୟା କରି ଦେଇଥିଲେ । ହେଲେ ହଠାତ ପୁଅକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତ କାଳିମ୍ବା ଗାଁରେ । ପିଲାଦିନୁ ବାପାମା’ ଛେଉଣ୍ଡ ଥିଲେ ଶାନ୍ତନୁ । ଶେଷରେ ନିଜ ଆଈ ପାଖରେ ରହୁଥିଲେ । ୭ ବର୍ଷ ବୟସରେ କିଛି ସାହାରା ନ ପାଇ ଗାଁର କିଛି ଦାଦନ ଶ୍ରମିକଙ୍କ ସହ ଲୁଚି ଚାଲିଯାଇଥିଲେ ପଣ୍ଡିଚେରୀ । ଛୋଟ ପିଲା ଥିବାରୁ ସେଠାରେ କାମ ନ ପାଇ ଏଣେତେଣେ ବୁଲୁଥିଲେ । ପରେ ଜଣେ ଓଡ଼ିଆ ଠିକାଦାରଙ୍କ ପାଖରେ ଏକ ଫାକ୍ଟ୍ରିରେ କାମ କରୁଥିଲେ । ହେଲେ ଶାନ୍ତନୁଙ୍କୁ ବିନା ପଇସାରେ କାମ କରିବାକୁ ବାଧ୍ୟ କରାଗଲା । ଇଚ୍ଛା ନଥିଲେ ବି ଛୋଟ ବୟସରୁ କାମ କରିବାକୁ ବାଧ୍ୟ ହୋଇଥିଲେ ସେ । ଗାଁକୁ ଆସିବାର ସୁଯୋଗ ଦେଉନଥିଲେ ଠିକାଦାର ଜଣକ ।
ବରଂ ବର୍ଷ ପରେ ବର୍ଷ ବିତିଯାଇଥିଲା । ପଣ୍ଡିଚେରୀରେ ଥିବା ସମୟରେ ହଠାତ ଜଣେ ଓଡ଼ିଆ ଶ୍ରମିକ ଖୋର୍ଦ୍ଧା ଅଞ୍ଚଳର ରଶ୍ମି ରଞ୍ଜନ ବେହେରାଙ୍କ ସହ ଦେଖାହେଲା । ଶାନ୍ତନୁଙ୍କଠାରୁ ପୂରା ଘଟଣା ଶୁଣିବା ପରେ ଦେବଦୂତ ସାଜି ଉଦ୍ଧାର କରିବାକୁ ପଣ କରିଥିଲେ ରଶ୍ମି । ସମ୍ପୃକ୍ତ ଠିକାଦାରଙ୍କଠାରୁ ଶାନ୍ତନୁଙ୍କୁ ରଶ୍ମି ଲୁଚାଇନେଇ ପଳାଇଆସିଥିଲେ । କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିବା ପରେ ଶାନ୍ତନୁଙ୍କ ସମ୍ପୂର୍ଣ୍ଣ ଠିକଣା ମିଳିଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଖବର ପାଇ ସାହାଯ୍ୟର ହାତ ବଢ଼ାଇଥିଲେ ନୟାଗଡ଼ ଜିଲ୍ଲାପାଳ । ଶାନ୍ତନୁଙ୍କୁ ଗାଁରେ ଛାଡ଼ିବା ଏବଂ ଶାନ୍ତନୁଙ୍କ ପରିଚୟ ପତ୍ର ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ପ୍ରତିଶ୍ରୁତି ଦେଇଥିଲେ । ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶାନ୍ତନୁକୁ ନେଇ ଗାଁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଶାନ୍ତନୁ ଗାଁରେ ପହଞ୍ଚିବା ପରେ ଗାଁ ସମେତ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।