ଭୁବନେଶ୍ୱର: ଗତ ୪୮ଘଣ୍ଟା ହେବ ରାଜ୍ୟର ଅଧିକାଂଶ ସହରରେ କୋହଲା ପାଗ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଯାଇଛି । ତେବେ ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ଏହିଭଳି ପାଗ ସହ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ବାଙ୍ଗଲାଦେଶ ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଘୂର୍ଣ୍ଣିବଳୟ ମଧ୍ୟଦେଇ ଏକ ଟ୍ରଫ୍ଲାଇନ୍ ଥିବା ବେଳେ ତାହା ପଶ୍ଚିମବଙ୍ଗ ଓ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଗତି କରୁଛି । ଏହାର ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପାଗ କୋହଲା ରହିଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଯଥା- ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିବ । ବିଶେଷ କରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ ଓ ମାଲକାନଗିରିରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା ରହିଛି ।
୧୯ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ।।, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖ ଦିନ ବର୍ଷାର ବିସ୍ତୃତି କମିବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଅଞ୍ଚଳରେ ହାଲୁକା ବର୍ଷା ହେବ । ଆସନ୍ତା ୩ ଦିନରେ ରାଜ୍ୟର ଦିନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ । ୨୧ ତାରିଖ ପରେ ରାଜ୍ୟର ପାଗ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗକେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟର ଗୋପାଳପୁରରେ ୦.୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୧ମିମି, ଝାରସୁଗୁଡାରେ ୦.୨ମିମି, ସମ୍ବଲପୁରରେ ୦.୧ମିମି, କୋରାପୁଟରେ ୧୩.୯ମିମି, ଫୁଲବାଣୀରେ ୭.୬ମିମି, ଟିଟିଲାଗଡରେ ୧ମିମି, ମାଲକାନଗିରି ୬.୪ମିମି, ପାରଳାଖେମୁଣ୍ଡି ୫.୪ମିମି, ରାୟଗଡା ୪.୫ମିମି, ନବରଙ୍ଗପୁର ୨୫.୨ମିମି ବର୍ଷା ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୫ଟା୩୦ ସୁଦ୍ଧା କଟକରେ ୦.୫ମିମି, ବାରିପଦାରେ ୧ମିମି ବର୍ଷା ହୋଇଛି ।