ନୟାଗଡ଼ : ବାଣୀଗୋଛା ଥାନା ଚଢ଼େୟାପଲ୍ଲୀ ଗ୍ରାମପଞ୍ଚାୟତର ଚଢ଼େୟାପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡ଼ିକୁ ସନ୍ଦେହ କରି ଗ୍ରାମ୍ୟ କଙ୍ଗାରୁ କୋର୍ଟରେ ୪ଜଣ ଯୁବକଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଛନ୍ତି । ଏ ନେଇ ବାଣିଗୋଚ୍ଛା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗତ ୬ମାସ ତଳେ ସେହି ଗ୍ରାମର ଜଣେ ଲୋକର ମୃତ୍ୟୁ ଘଟିଥିଲା । କିଛିଦିନ ପରେ ଗ୍ରାମର ଜଣେ ମହିଳା ନିଜ ଦେହରେ ଠାକୁରାଣୀ ବିଜେ କରିଛନ୍ତି କହିବା ସହ ସେହି ମୃତ ବ୍ୟକ୍ତି ଗୁଣିଗାରେଡ଼ି ପ୍ରଭାବରେ ମରିଥିବା କହିଥିଲେ ।
ଆଉ ଏହି ଘଟଣାରେ ଗ୍ରାମର ୪ଜଣ ଯୁବକ ସଂପୃକ୍ତ ଥିବା ଜଣାଇଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ଏକ କଙ୍ଗାରୁକୋର୍ଟ ହୋଇଥିଲା । କଙ୍ଗାରୁ କୋର୍ଟରେ ଘଟଣାରେ ସଂପୃକ୍ତ ଅଭିଯୋଗରେ ଗ୍ରାମର ବିଦ୍ୟା ନାୟକ, ସନ୍ତୋଷ କୁମାର ନାୟକ, ବିଘ୍ନରାଜ ସେଠୀ ଓ ଭରତ ନାୟକଙ୍କୁ ଦୋଷ ମାନିବାକୁ ବାଧ୍ୟ କରାଯାଇଥିଲା । ମାତ୍ର ସେମାନେ ଦୋଷ ନମାନିବାରୁ ସେଠାରେ ସେମାନଙ୍କୁ ଏକ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିବା ସହ ବିଷ୍ଠା ଓ ଗଧ ମଳ ଖୁଆଇଥିଲେ । ଏଭଳି ନିର୍ଯାତନାର ଶିକାର ହୋଇ ୪ଜଣ ଯୁବକ ବାଣିଗୋଛା ଥାନାକୁ ଆସି ଲିଖିତ ଅଭିଯୋଗ କରିବା ସହ ଏହି କଙ୍ଗାରୁକୋର୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସଞ୍ଜୟ ନାୟକ, କୃଷ୍ଣ ନାୟକ, ରୋହିତ ନାୟକ, ଅଲେଖ ପ୍ରଧାନ, ଭରତ ପ୍ରଧାନ ଓ ଅନ୍ୟାନ୍ୟଙ୍କ ନାମରେ ଏତଲା ଦାଏର ହୋଇଛି ।
ମାତ୍ର ୪ଦିନ ବିତି ଯାଇଥିଲେ ମଧ୍ୟ ବାଣିଗୋଛା ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ଅଭିଯୋଗକାରୀଙ୍କୁ ଭୟଭୀତ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହେଉଛି । ଅଭିଯୋଗକାରୀମାନେ ପୁଲିସ ଭୟରେ ଜଙ୍ଗଲ ମଧ୍ୟରେ ଲୁଚି ବୁଲୁଥିଲା ଜଣାପଡ଼ିଛି । ଏ ସମ୍ପର୍କରେ ବାଣିଗୋଛା ଥାନା ଏଏସଆଇ ପ୍ରଭାତ କୁମାର ସୁବୁଦ୍ଧି କହନ୍ତି ଯେ, ଆମେ ସେମାନଙ୍କୁ ଡାକି ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ କରିବା ପାଇଁ ଚେଷ୍ଟା କରୁଛି । ଅପରପକ୍ଷରେ ବାଣିଗୋଛା ପୁଲିସ କେସ ନଂ ୫୮/୨୧ରେ ଏକ ମାମଲା ପଞ୍ଜିକୃତ କରିଥିବା ବେଳେ କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ କରାଇ ଦେବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ଏହି ଘଟଣାରେ ଅଭିଯୋଗକାରୀଙ୍କ ପରିବାର ପକ୍ଷରୁ ଦୋଷୀକୁ ଦଣ୍ଡବିଧାନ କରିବା ପାଇଁ ଦାବି ହୋଇଛି ।